ହାତୀ ଆକ୍ରମଣରେ ଗୋଟିଏ ପରିବାରର ୩ ସମେତ ୪ ମୃତ

ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲା ପଦ୍ମପୁରରେ ହାତୀ ଆକ୍ରମଣରେ ଗୋଟିଏ ପରିବାରର ୩ ଜଣଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି। ପଦ୍ମପୁର ରଜାପଡାର ଗୋଟିଏ ପରିବାରର ଦ୍ଵାରିକାନାଥ ପାଣ୍ଡେ (୭୫) , ପୁଅ ମଲେଇ ପାଣ୍ଡେ(୪୫) ଏବଂ ନାତି ଚିଣ୍ଟୁ ପାଣ୍ଡେ (୭) ବୋଲି ଜଣାପଡିଛି। ସେହିପରି ବାଝେନମୁଣ୍ଡାରେ ମଧ୍ୟ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକ ବାଝେନମୁଣ୍ଡା ଗ୍ରାମର ହେମସାଗର ସାହୁ (୫୨) ବୋଲି ଜଣାପଡିଛି। ହେମସାଗର ଶୌଚ ପାଇଁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଯାଇଥିଲେ ।

ରାତିରେ ଶୋଇଥିବା ବେଳେ ହାତୀ ଆକ୍ରମଣ କରିଥିବା ବେଳେ ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ହାତୀମାନେ ଛତିଶଗଡ଼ ପଟୁ ଆସିଥିବା ସନ୍ଦେହ କରାଯାଉଥିବା ବେଳେ ଧାନ ଖାଇବା ଉଦ୍ଦେଶ୍ୟରେ ଘର କାନ୍ଥ ଭାଙ୍ଗି ପଶିଥିବା କୁହାଯାଉଛି ।ଦ୍ଵାରିକନାଥ ପଦ୍ମପୁର ପୋୖରାଞ୍ଚଳ ବାହାରେ ରହୁଥିବା ବେଳେ ସେ ଘରେ ଧାନ ରଖିଥିଲେ। ତେବେ ରଜାପଡା ପଦ୍ମପୁର ସହରର ୧ ନମ୍ବର ୱାର୍ଡ ହୋଇଥିବା ବେଳେ ସହର ମଧ୍ୟରେ ହାତୀ ପଶି ଆକ୍ରମଣ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏବେ ଘଟଣାସ୍ଥଳରେ ପୁଲିସ ଏବଂ ବନ ବିଭାଗ ଅଧିକାରୀମାନେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ମୃତକମାନଙ୍କ ଶବ ବ୍ୟବଚ୍ଛେଦ ଲାଗି ପଦ୍ମପୁର ଡାକ୍ତରଖାନାକୁ ପଠାଇଛନ୍ତି। ମୃତକଙ୍କ ପରିବାରବର୍ଗଙ୍କୁ ସରକାରୀ କ୍ଷତିପୂରଣ ଦେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।