ସାମାଜିକ ଦୂରତା ପାଇଁ ଜିଲ୍ଲା ପ୍ରଶାସନର ଶେଷ ଚେତାବନୀ ଜିଲ୍ଲା By Nitidin On Apr 5, 2020 Share ମାଲକାନଗିରି,ଏନ୍ଏନ୍ଏସ୍ : ସାରା ବିଶ୍ୱରେ କରୋନା ମହାମାରୀର ରୂପ ନେଇଥିବା ବେଳେ ଆମ ଦେଶ ଓ ରାଜ୍ୟରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳଛି। ଏହି ରୋଗର ପ୍ରତିରୋଧ ପାଇଁ ସାମାଜିକ ଦୂରତା ବଜାୟ ରଖିବାକୁ ବାରମ୍ବାର ଅନୁରୋଧ କରାଯିବା ସତ୍ୱେ ମାଲକାନଗିରି ଜିଲ୍ଲା ସଦର ମହକୁମାର କିଛି ଲୋକେ ମାନୁ ନଥିବା ପରିଲକ୍ଷିତ ହୋଇଛି। ସରକାର ଓ ଜିଲ୍ଲା ପ୍ରଶାସନ ବିଭିନ୍ନ ସମୟରେ ଲୋକଙ୍କୁ ସଚେତନ କରି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନଥିଲେ ଘରୁ ନ ବାହାରିବା, ହାତକୁ ସାବୁନ କିମ୍ବା ସାନିଟାଇଜରରେ ଧୋଇବା ସହ ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱ ଦେଇଆସୁଛନ୍ତି। ସାମାଜିକ ଦୂରତା ବଜାୟ ରଖିବା ଅନିବାର୍ଯ୍ୟ ହୋଇଥିବା ବେଳେ ମାଲକାନଗିରି ପୌର ପରିଷଦ ଅଂଚଳରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଂଟନ କେନ୍ଦ୍ରରେ ଲୋକେ ଭୀଡ଼ ଜମାଉଥିବା ସହ ସାମାଜିକ ଦୂରତାକୁ ଖାତିର କରୁନଥିବା ଦେଖାଯାଇଛି। ଆଜି ରବିବାର ହୋଇଥିବାରୁ ଡି.ଏନ.କେ ମାଛ, ମାଂସ ବଜାରରେ ଲୋକ ଭୀଡ଼ ଦେଖାଯାଇଛି। ଏଥବରେ ଲୋକେ ଏକ ମିଟର ତ ଦୂରର କଥା ଏକ ଫୁଟ ଦୂରତା ମଧ୍ୟ ବଜାୟ ରଖିବାକୁ ମଧ୍ୟ ପ୍ରୟାସ କରୁନଥିବା ଦେଖାଯାଇଛି। ଏହାବ୍ୟତୀତ ପୌର ପରିଷଦ ଅଂଚଳର ବିଭିନ୍ନ କେନ୍ଦ୍ରରେ ରାସନ ସାମଗ୍ରୀ ବଂଟନ କରାଯାଇଥିବା ବେଳେ ପନିପରିବା ଓ ଅନ୍ୟାନ୍ୟ ଜିନିଷପତ୍ର ପାଇଁ ପ୍ରତି ପରିବାରକୁ ୧ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଆଜି ସହରର ରିକ୍ଲାମେସନ କଲୋନୀଠାରେ ଆଜି ଲୋକଙ୍କୁ ଭୀଡ଼ ଦେଖିବାକୁ ମିଳିଛି। ଏହି କେନ୍ଦ୍ରରେ ଲୋକେ ସାମାଜିକ ଦୂରତା ନିୟମକୁ ଭୂଲି ଏହାର ଖିଲାପ କରୁଥିବା ପରିଲକ୍ଷିତ ହୋଇଛି। ଏହି ବିଷୟରେ ଅବଗତ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶେଷ ସୁଯୋଗ ଦିଆଯାଇଛି। ଯଦି ନିୟମ ଉଲଂଘନ ହୁଏ ଓ ଏଭଳି କାର୍ଯ୍ୟ ଅବ୍ୟାହତ ରହେ , ତେବେ ବଜାରକୁ ବନ୍ଦ କରି ଦିଆଯିବା ସଙ୍ଗେ ସଙ୍ଗେ ଦୋକାନଗୁଡ଼ିକୁ ସିଲ କରାଯିବ ଓ ଦୋକନୀଗୁଡ଼ିକୁ ସାମାଜିକ ଦୂରତା ବଜାୟ ନ ରଖିବା ଅଭିଯୋଗରେ ମାମଲା ରୁଜ୍ଜୁ କରାଯିବ ବୋଲି ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଚେତାବନୀ ଦେଇଛନ୍ତି। ଅନ୍ୟ ପକ୍ଷରେ ଲକଡାଉନର ଆଜି ଦ୍ୱାଦଶ ଦିବସରେ ମାଲକାନଗିରି ଜିଲ୍ଲାରେ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ରାସନ ସାମଗ୍ରୀ ଓ ପନିପରିବା କ୍ରୟ ପାଇଁ ମୋଟର ସାଇକେଲ ବ୍ୟବହାର ଉପରେ କଟକଣା ଲଗାଯାଇଥିବା ବେଳେ ଆଜି ୩ୟ ଦିବସରେ ମଧ୍ୟ ଏହାକୁ ଉଲଂଘନ କରିଥିବା ପ୍ରାୟ ୨୫ ରୁ ଉର୍ଦ୍ଧ ମୋଟର ସାଇକେଲ ପୁଲିସ ଜବତ କରିଛି। Share