ମଦଦୋକାନ ବନ୍ଦ ଥିବାରୁ ସର୍ଜିକାଲ ସ୍ପିରିଟ ପିଇଲେ ୩ ଯୁବକ, ୨ମୃତ, ଜଣେ ଗୁରୁତର

ରାୟପୁର,ଏନ୍ଏନ୍ଏସ୍: ଲକଡାଉନ ଯୋଗୁଁ ମଦଦୋକାନ ବନ୍ଦ ହୋଇଥିବାରୁ ସର୍ଜିକାଲ ସ୍ପିରିଟ ପିଇଦେଲେ ୩ ଯୁବକ। ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଚତିଶଗଡ଼ର ରାଜଧାନୀ ରାୟପୁରରେ।

ସୂଚନା ଅନୁସାରେ ରାୟପୁର ସହରର ଗୋଲବଜାର ଥାନା ଅଞ୍ଚଳର ୩ଜଣ ବ୍ୟକ୍ତି ମଙ୍ଗଳବାର ରାତିରେ ନିଶାପାଇଁ ମଦ ଖୋଜିଥିଲେ। ତେବେ ମଦ ଦୋକାନ ବନ୍ଦଥିବାରୁ ସେମାନେ ସ୍ପିରିଟ ପିଇଦେଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ନିଜ ଘରେ ବୁଧବାର ସକାଳେ ମୃତ୍ୟୁ ହୋଇଥିଲା।

ସେହିପରି ଅନ୍ୟ ୨ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ନେବା ବାଟରେ ଜଣଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଅନ୍ୟଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଖବର ପାଇବା ପରେ ମୃତକଙ୍କ ଘରେ ପୁଲିସ ଯାଞ୍ଚ କରି ସ୍ପିରିଟ ବେତଲ ପାଇଛି। ଏ ନେଇ ପୁଲିସ ଅଧିକ ତଦନ୍ତ ଆରମ୍ଭ କରିଛି।