ବଜେଟ୍ ଅଧିବେଶନ ସମାପ୍ତ : ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୂଲତବୀ

ଭୁବନେଶ୍ୱର,ଏନ୍ଏନ୍ଏସ୍ : କରୋନା ଭୂତାଣୁ(କୋଭିଡ୍-୧୯)ସଂକ୍ରମଣକୁ ଦୃଷ୍ଟିରେ ରଖି ଷୋଡ଼ଶ ବିଧାନସଭାର ତୃତୀୟ ଅଧିବେଶନ(ବଜେଟ୍ ଅଧିବେଶନ) ଆଜି ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିଲା। ଚଳତ ମାସ ୧୨ ତାରିଖରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି ବିଧାନସଭାରେ ଆଲୋଚନା ହୋଇଥିଲା। ଆଜି ଏହି ବିଭାଗ ବ୍ୟତିତ ଅନ୍ୟସବୁ ବିଭାଗର ଖର୍ଚ୍ଚ ଦାବି ଗିଲୋଟିନ୍ ଜରିଆରେ ବାଚନିକ ଭୋଟରେ ଗୃହରେ ପାରିତ ହୋଇଯାଇଛି।

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆର୍ଥିକ ବର୍ଷ ୨୦୨୦-୨୧ର ବଜେଟ୍ ପାଇଁ ୧,୫୫,୯୬୩,୨୬,୮୧,୦୦୦ଟଙ୍କାର ବ୍ୟୟମଞ୍ଜରୀ ବିଧେୟକ ଗୃହରେ ଅନୁମୋଦନ ନମନ୍ତେ ଉପସ୍ଥାପନ କରିଥିଲେ। ଏସମ୍ପର୍କରେ ଆଲୋଚନାରେ ବିରୋଧୀ ଦଳ ନେତା ପ୍ରଦୀପ କୁମାର ନାଏକ, ଭାରତୀୟ ଜାତୀୟ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଅଂଶଗ୍ରହଣ କରିଥିଲେ। ଆଲୋଚନା ପରେ ଏହା ଗୃହର ଅନୁମୋଦନ ଲାଭ କରିଥିଲେ। ବିଧାନସଭା ବଜେଟ୍ ଅଧିବେଶନ କାର୍ଯ୍ୟକାଳ ଆସନ୍ତା ଅପ୍ରେଲ ୯ତାରିଖ ପର୍ଯ୍ୟନ୍ତ ଥିବାବେଳେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଗୃହକୁ ମୁଲତବୀ ରଖିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ। ଗୃହର ସହମତି କ୍ରମେ ମାନ୍ୟବର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ତାଙ୍କ ଅଭିଭାଷଣ ପରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଥିଲେ।