ମାଲକାନଗିରି ସୀମା ସିଲ : ମାଓ ଭୟରେ ଗ୍ରାମ ଛାଡ଼ିଥିବା ୧୫ଟି ଗରିବ ପରିବାରକୁ ୧ ମାସର ଅତ୍ୟାବଶ୍ୟକୀୟ ସାମଗ୍ରୀ ବଂଟନ ଜିଲ୍ଲାରାଜ୍ୟ By Nitidin On Mar 30, 2020 Share ମାଲକାନଗିିର,ଏନ୍ଏନ୍ଏସ୍ : ରାଜ୍ୟରେ ଗତ ୨୪ ତାରିଖ ମଧ୍ୟରାତ୍ରିଠାରୁ ସାରା ରାଜ୍ୟରେ ତାଲା ବନ୍ଦ ଘୋଷଣା ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ଆଜି ଷଷ୍ଠ ଦିବସରେ ନିୟମକୁ କଡ଼ାକଡ଼ି ଭାବେ ପାଳନ କରୁଥିବା ଦେଖାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ସୀମାନ୍ତ ଛତିଶଗଡ଼, ଆନ୍ଧ୍ରପ୍ରଦେଶ ସୀମାକୁ ସିଲ କରାଯାଇଛି। ଛତିଶଗଡ଼ ସୀମାର ଚାଲାଣଗୁଡ଼ା, ଆନ୍ଧ୍ର ସୀମାର ମୋଟୁ ଓ ଚିତ୍ରକୋଣ୍ଡା ଆଦି ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବାହାର ରାଜ୍ୟରୁ ଆସୁଥିବା ଯାନବାହାନ ଉପରେ କଟକଣା ଲଗାଯାଇଛି। ସୀମାବର୍ତି ଅଂଚଳରେ ପୁଲିସ ପକ୍ଷରୁ ବ୍ୟାପକ ସରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ଗାଡ଼ି ଯାଂଚ କରାଯାଉଛି । ଲକଡାଉନକୁ ଦୃଷ୍ଟିରେ ରଖି ମୁଖ୍ୟତଃ ସେମାନେ ନିଜ ଘରେ ରହିବା ସହ କୌଣସି କାରଣ ନଥାଇ ବାହାରେ ନ ବୁଲିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ଏଥିସହ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକେ ନିଜ ନିଜର ସାହି ଓ ପଡ଼ା ନିକଟରେ ଥିବା ପନିପରିବା ଓ ତେଜରାତି ଦୋକାନରୁ ସାମଗ୍ରୀ ଚାଲି ଚାଲି ଆସି କ୍ରୟ କରି ଘରକୁ ଯିବାକୁ ପରାମର୍ଶ ଦିଆଯାଇଛି। ଲକଡାଉନ ଯୋଗୁଁ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନକୁ ବାଦ ଦେଲେ ଜିଲ୍ଲାର ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଫଳରେ ଜିଲ୍ଲା ସଦର ମହକୁମା ସମେତ ସମସ୍ତ ସହରର ବିଭିନ୍ନ ଛକ, ସମସ୍ତ ଜନଗହଳି ସ୍ଥାନ, ବଜାର, ବସଷ୍ଟାଣ୍ଡ ଜନଶୂନ୍ୟ ହୋଇପଡ଼ିଛି। ତେବେ ଆଇନ ଖିଲାପକାରୀଙ୍କ ଉପରେ ପୋଲିସ କଠୋର କାର୍ଯ୍ୟାନୁଷ୍ଟାନ ଗ୍ରହଣ କରୁଛି । ବିଶେଷ କରି ଗତକିଛି ଦିନ ହେଲା ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଳୁ ଓ ପିଆଜର ଅଭାବ ହେଉଥିବାରୁ ପ୍ରଶାସନ ପକ୍ଷରୁ ଏହାକୁ ଦୃଷ୍ଟିରେ ରଖି ପ୍ରତି ଦିନ କିଭଳି ଆଳୁ ଓ ପିଆଳ ରପ୍ତାନୀ କରାଯିବ ସେଥିନେଇ ପଦକ୍ଷେପ ଗ୍ରହଣ କରାଯାଉଛି । ଗତକାଲି ଜିଲ୍ଲାକୁ ଆଳୁ ଓ ପିଆଳ ରପ୍ତାନୀ କରାଯାଇ ସୁଲଭ ମୂଲ୍ୟରେ ତହସିଲଦାରଙ୍କ ଉପସ୍ଥିତିରେ ବିଭିନ୍ନ ଦୋକାନୀକୁ ପ୍ରଦାନ କରାଯାଇଛି। ଜିଲ୍ଲା ସଦର ମହକୁମାସ୍ଥିତ ଆଶିର୍ବାଦ କଲୋନୀଠାରେ ଆଜି ମାଓ ଭୟରେ ଗ୍ରାମ ଛାଡ଼ି ଥିବା ୧୫ ଟି ପରିବାରକୁ ଜିଲ୍ଲା ପ୍ରଶାସନ ଓ ଗାନ୍ଧିଜୀ ଦୈନିକ ବଜାର କମିଟି ପକ୍ଷରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଂଟନ କରାଯାଇଛି। ଏମାନେ ଦୈନିକ ଶ୍ରମିକ ଭାବେ କାର୍ଯ୍ୟ କରି ଓ ଜଙ୍ଗଲରୁ ଜାଳେଣୀ କାଠ ସଂଗ୍ରହ କରି ପରିବାର ଭରଣପୋଷଣ କରୁଥିବା ବେଳେ କରୋନା ଭୂତାଣୁ ନିମନ୍ତେ ଲକଡାଉନ ଘୋଷଣା ପରେ ସମସ୍ୟା ସୃଷ୍ଟି ହୋଇଛି। ଏଣୁ ଏହି ୧୫ ଟି ପରିବାରର ୬୦ ଜଣଙ୍କୁ ଏକ ମାସର ଅତ୍ୟାବଶ୍ୟକୀୟ ସାମଗ୍ରୀ ପ୍ରଦାନ କରାଯାଇଛି । ମାଲକାନଗିରି ତହସିଲଦାର ଡଃ.ଗୁଣନିଧି ନାୟକ, ଅତିରିକ୍ତ ତହସିଲଦାର ସବିର ସା , ପୌର ପରିଷଦ ନିର୍ବାହୀ ଅଧିକାରୀ ଏମ୍.ନିଳକଣ୍ଠ ନାଇଡୁ, ଦୈନିକ ବଜାର କମିଟି ସଭାପତି ଜି. ଶ୍ରୀନିବାସ ରାଓ, ସମ୍ପାଦକ ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ସହରାଂଚଳ ବିକାଶ ଅଧିକାରୀ ଜଗନ୍ନାଥ ଖେମୁଡୁ, ଏବଂ ସଦସ୍ୟମାନେ ଉପସ୍ଥିତ ରହି ୫ କେଜି ଚାଉଳ,ଦୈନିକ ୨୦୦ଗ୍ରାମ ଡାଲି,ଦୈନିକ ଏକ କେଜି ଆଳୁ, ଜିରା,ଲୁଣ, ରିଫାଇଣ୍ଡ ତେଲ, ମସଲା ସାମଗ୍ରୀ ଯୋଗାଇ ଦିଆ ଯାଇଥିବା ବେଳେ ଦୈନିକ ବଜାର କମିଟି ତରଫରୁ ଆଳୁ , ପିଆଜ ଓ ପନିପରିବା ଯୋଗାଇ ଦିଆ ଯାଇଛି। ଏଥିସହ ସେମାନଙ୍କର ଶ୍ରମଜୀବି କାର୍ଡ, ଆଧାର କାର୍ଡ, ଏବଂ ଅନ୍ୟାନ୍ୟ ସରକାରୀ ନଥିପତ୍ର ପ୍ରସ୍ତୁତ କରା ଯାଇ ସେମାନଙ୍କୁ କିପରି ଥଇଥାନ କରା ଯିବ ସେ ସମ୍ବନ୍ଧରେ କରୋନା ଭାଇରସ ପ୍ରକୋପ କମିଲା ପରେ ପଦକ୍ଷେପ ନିଆଯିବ ବୋଲି ତହସିଲଦାର ଡଃ ନାୟକ ପ୍ରକାଶ କରିଛନ୍ତି । Share