ସାଂସଦ ଉନ୍ନୟନ ପାଣ୍ଠିରୁ ଅନ୍ୟୁନ ୧ କୋଟି ଅର୍ଥ ସହାୟତା ପ୍ରଦାନ ପାଇଁ ନିବେଦନ କଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: କୋଭିଡ-୧୯ର ମୁକାବିଲା ନିମନ୍ତେ ସାଂସଦ ଉନ୍ନୟନ ପାଣ୍ଠିରୁ ଅନ୍ୟୁନ ୧ କୋଟି ଅର୍ଥ ସହାୟତା ପ୍ରଦାନ ଲାଗି ରାଜ୍ୟସଭା ସାଂସଦମାନଙ୍କୁ ଉପରାଷ୍ଟ୍ରପତି ନିବେଦନ କରିଛନ୍ତି। ରାଜ୍ୟକୁ ଫେରୁଥିବା ବା ବାଟରେ ଅଟକିଥିବା ଦାଦନ ଶ୍ରମିକମାନଙ୍କୁ ଖାଦ୍ୟ ଓ ଆବାସ ଯୋଗାଇବା ଲାଗି ମାନବହିତୈସୀ ଓ ସ୍ୱେଚ୍ଛାସେବୀ ସଂଗଠନଗୁଡିକୁ ସେ ଅନୁରୋଧ କରିଛନ୍ତି। ଉପରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବାକୁ ଜନସାଧାରଣଙ୍କୁ ମଧ୍ୟ ନିବେଦନ କରିଛନ୍ତି।

ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ଭେଙ୍କେୟା ନାଇଡୁ ସମସ୍ତ ରାଜ୍ୟସଭା ସାଂସଦଙ୍କୁ ପ୍ରାଥମିକ ଭାବେ ସେମାନଙ୍କ ସ୍ଥାନୀୟ ବିକାଶ ପାଣ୍ଠିରୁ କୋଭିଡ-୧୯ର ମୁକାବିଲା ପାଇଁ ଅନ୍ୟୁନ ୧ କୋଟି ଟଙ୍କା ପ୍ରଦାନ କରିବାକୁ ନିବେଦନ କରିଛନ୍ତି । ସାଂସଦମାନଙ୍କୁ ଲେଖିଥିବା ପତ୍ରରେ କରୋନା ସଂକ୍ରମଣର ଭୟାବହତା ସରକାର ନେଉଥିବା ବିଭିନ୍ନ ପଦକ୍ଷେପ ଦୃଷ୍ଟିରୁ ଏଭଳି କରିବାକୁ ଶ୍ରୀ ନାଇଡୁ ସାଂସଦମାନଙ୍କୁ ନିବେଦନ କରିଛନ୍ତି । କୋଭିଡ-୧୯ର ସଫଳ ମୁକାବିଲା ନିମନ୍ତେ ଜାତୀୟ, ରାଜ୍ୟ ଓ ଜିଲ୍ଲା ସ୍ତରରେ ଏଥିପାଇଁ ସମ୍ବଳ ସଂଗ୍ରହ କରାଯାଉଥିବା ସେ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।

ଏହାବ୍ୟତୀତ ଶ୍ରୀ ନାଇଡୁ ପିଏମ କେୟାର୍ସ ଫଣ୍ଡକୁ ଆପଦ କାଳୀନ ସାମର୍ଥ୍ୟ ବୃଦ୍ଧି ପାଇଁ ଦାନ ଦେବାକୁ ସାଧାରଣ ଲୋକଙ୍କୁ ମଧ୍ୟ ନିବେଦନ କରିଛନ୍ତି । ଏହାଛଡା ଏଭଳି ଘଡିସନ୍ଧି ମୁହୂର୍ତରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଗରିବ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ନିବେଦନ କରିବା ସହ ସରକାରଙ୍କ ଦ୍ୱାରା ଦିଆଯାଇଥିବା ନିୟମାବଳୀଗୁଡିକୁ କଡାକଡି ପାଳନ କରିବାକୁ ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କଲ୍ୟାଣ ପାଣ୍ଠିକୁ ସମାଜର ବିଭିନ୍ନ ସ୍ତରରେ ଥିବା ଲୋକମାନଙ୍କ ଆକୁଣ୍ଠିତ ସାହାଯ୍ୟ ସହଯୋଗ ପାଇଁ ସେ ସାଧୁବାଦ ଜଣାଇଛନ୍ତି । ରାଜ୍ୟ ସରକାର ଓ ବିଭିନ୍ନ ମାନବହିତୈସୀ ସଂଗଠନ ବିଭିନ୍ନ ରାଜ୍ୟରୁ ଆସୁଥିବା ଦାଦନ ଶ୍ରମିକଙ୍କୁ ସହାୟତାର ହାତ ବଢ଼ାଇବାକୁ ମଧ୍ୟ ନିବେଦନ କରିଛନ୍ତି । ଶ୍ରମିକମାନଙ୍କ ସୁବିଧା ଅସୁବିଧା ନେଇ ଶ୍ରୀ ନାଇଡୁ କେନ୍ଦ୍ର ଶ୍ରମ ଓ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସନ୍ତୋଷ କୁମାର ଗଙ୍ଗୱାର ଓ କ୍ୟାବିନେଟ ସଚିବ ଶ୍ରୀ ରାଜୀବ ଗୌବାଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ।