ଭୁବନେଶ୍ଵର,ଏନ୍ଏନ୍ଏସ୍: ମେଡ଼ିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଆସନ୍ତା ମେ ୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ନିଟ୍ ପରୀକ୍ଷାକୁ ବାତିଲ କରାଯାଇଛି। କରୋନା ଭୂତାଣୁ ସଂକ୍ରମଣକୁ ନେଇ ସାରା ଦେଶରେ ଲକଡାଉନ ଲାଗୁ କରାଯାଇଥିବା ବେଳେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଜେଇଇ ମେନ୍ ଏବଂ ନିଟ୍ ପରୀକ୍ଷା ପାଇଁ ପରେ ତାରିଖ ଘୋଷଣା କରାଯିବ ବୋଲି ଏନଟିଏ ପକ୍ଷରୁ କୁହାଯାଇଛି।
ମାର୍ଚ୍ଚ ୨୭ରେ ଆସିବାକୁ ଥିବା ଆଡମିଟ କାର୍ଡ ଏବେ ଦିଆଯିବ ନାହିଁ ବୋଲି କୁହାଯାଇଛି। ତେବେ ସାରା ଦେଶରେ କାୟା ବିସ୍ତାର କରୁଥିବା କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପି ଲକଡାଉନ ଘୋଷଣା କରିଛନ୍ତି। ଏଥିପାଇଁ ସମସ୍ତଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଦେଶରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୬୧ରେ ପହଁଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୨୦ରେ ପହଞ୍ଚିଛି।