ଗ୍ରାମାଂଚଳରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ମାଲକାନଗିରି,ଏନ୍ଏନ୍ଏସ୍ : ମାଲକାନଗିରି ସଦର ବ୍ଲକ ଗୋରାଖୁଂଟା ପଂଚାୟତର ଗୋରାଖୁଂଟା ଏବଂ କୃର୍ଷୁୱାଡା ଗ୍ରାମରେ କରୋନା ଭୂତାଣୁ ସଂକ୍ରମଣରୁ ଦୂରେଇ ରହିବା ପାଇଁ ହାରମୋନୀ ଏବଂ ଭାରତ ଜ୍ଞାନ ବିଜ୍ଞାନ ସମିତିର ମିଳିତ ସହଯୋଗରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଦୁର୍ଗା ପ୍ରସାଦ ତ୍ରିପାଠୀଙ୍କ ତତ୍ୱାବଧାନରେ ଗ୍ରାମର ମହିଳାମାନଙ୍କୁ ଏ ସମ୍ବନ୍ଧରେ ସଚେତନ କରାଯିବା ସହ ପିଲା ଠାରୁ ବୃଦ୍ଧ ପର୍ଯ୍ୟନ୍ତ ଦିନକୁ ଅତି କମରେ ୧୦ଥର କିପରି ସାବୁନରେ ହାତ ଧୋଇବେ, ସେ ସମ୍ବନ୍ଧରେ ତାଲିମ ପ୍ରଦାନ କରାଯିବା ସହ ପିଲାଙ୍କୁ ଘରୁ ବାହାରକୁ ନ ଛାଡିବା, ଅତ୍ୟାବଶ୍ୟକ ନଥିଲେ ଘରୁ ବାହାରକୁ ନ ବାହାରିବା, ବିଶୁଦ୍ଧ ପାନୀୟ ଜଳ ବ୍ୟବହାର, ଘର ଚାରିପଟେ ପରିଷ୍କାର ରଖିବା, ଗୋଟିଏ ସ୍ଥାନରେ ବହୁଲୋକ ଜମା ନ ହେବା ସମ୍ବନ୍ଧରେ ବୁଝାଇଥିଲେ। ଏଥିସହ ପ୍ରତିଦିନ ସାବୁନରେ ଭଲଭାବେ ଦେହ ସଫା କରି ଗାଧୋଇବା, ପୋଷାକ ଗୁଡିକ ସାବୁନରେ ସବୁ ସମୟରେ ସଫା କରିବା ପାଇଁ ପରାମର୍ଶ ଦେଇଥିଲେ।

ଯଦି କୌଣସି ବ୍ୟକ୍ତିଙ୍କୁ ଜ୍ୱର, କାଶ, ଛିଙ୍କ, ଶର୍ଦ୍ଦି, ଗୋଡବ୍ୟଥା ଅନୁଭୁତ ହୁଏ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାପାଇଁ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀମାନେ ଉତ୍ସାହର ଯୋଗଦେଇ ବର୍ତମାନ ସ୍ଥିତିରେ ନିଜକୁ ସଜାଗ ରହିବୁ ଏବଂ ଏହି ନିୟମ ପାଳନ କରିବୁ ବୋଲି ପ୍ରତିଶୃତି ଦେଇଥିଲେ। ଏହି ସଚେତନତା କାର୍ଯ୍ୟକମ ବେଳେ ସମସ୍ତେ ସାମାଜିକ ଦୂରତା ବଜାୟ ରଖିଥିଲେ।