ଭୁବନେଶ୍ଵର : ରାଜ୍ୟ ସରକାର ମଙ୍ଗଳବାର ସାରା ଓଡ଼ିଶାକୁ ଲକଡାଉନ ଘୋଷଣା କରିଛନ୍ତି । ଆଜି ମଧ୍ୟରାତ୍ରିରୁ ଆସନ୍ତା ୨୯ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ୩୦ଟି ଜିଲା ଲକ୍ଡାଉନ ହେବ । ତେବେ ଏହି ସମୟରେ ଲୋକମାନେ କିପରି ନିଜର ଅତ୍ୟାବଶ୍ୟକ ସାମଗ୍ରୀ ପାଇପାରିବେ କେମିତି ଦୋକାନକୁ ଲୋକମାନେ ଯାଇ ସାମଗ୍ରୀ ଆଣିବେ ସେ ନେଇ ସରକାର ଗାଇଡ୍ଲାଇନ ଜାରି କରିଛନ୍ତି । ଏପରି କି ଲକ୍ଡାଉନ ସମୟରେ କେଉଁ ଦୋକାନ ଖୋଲା ରହିବ ଏବଂ କି ସେବା ଜାରି ରହିବ ସେନେଇ ସରକାର ସ୍ପଷ୍ଟ କରିଛନ୍ତି।
ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀଙ୍କ ସୂଚନା ଅନୁସାରେ, ଲକ୍ଡାଉନ ସମୟରେ ଡାକ୍ତରଖାନା, କ୍ଲିନିକ, ପାଥୋଲାବ୍, ଔଷଧ ଦୋକାନ ପରି ଅତ୍ୟାବଶ୍ୟକ ସେବା ସମେତ ପୁଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ, ଓଡ୍ରାଫ, ବିଦ୍ୟୁତ, ପାଣି, ମ୍ୟୁନିସିପାଲଟି ସେବା ଏବଂ କରୋନା ପ୍ରତିହତ ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ନିଜ ନିଜ କାର୍ଯ୍ୟ ଜାରି ରଖିବେ। ବ୍ୟାଙ୍କ ଓ ଏଟିଏମ ସାଙ୍ଗକୁ ପେଟ୍ରୋଲ ପମ୍ପ ମଧ୍ୟ ଖୋଲା ରହିବ । ବ୍ୟାଙ୍କଗୁଡ଼ିକ ଜିଲାପାଳଙ୍କ ପରାମର୍ଶରେ ୧୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବେ । ଏଟିଏମଗୁଡ଼ିକରେ ପର୍ଯ୍ୟାପ୍ତ ଟଙ୍କା ମହଜୁଦ ରଖିବେ ।
ଫଳ, କ୍ଷୀର, ପାଉଁରୁଟି, ବିସ୍କୁଟ, ବେକରୀ, ସଉଦା ଦୋକାନ, ପନିପରିବା, ମାଛ, ମାଂସ ଦୋକାନ ସହିତ କ୍ଷୀର ବୁଥ ଚା’ ଓ କଫି ଭଳି ଅନ୍ୟାନ୍ୟ ପାନୀୟ ସୁବିଧା ବ୍ୟତୀତ ଖୋଲା ରହିବ । ଲକ୍ଡାଉନ ସମୟରେ ପରିବାରର ଜଣେ ସଦସ୍ୟ ଦୈନିକ ଥରେ ମାତ୍ର ନିକଟସ୍ଥ ଦୋକାନକୁ ଯାଇ ସର୍ବନିମ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବ। ଏବଂ ରାସ୍ତାକୁ ଗାଡ଼ି ଧରି ନ ବାହାରିବା ପାଇଁ ବାଗ୍ଚୀ ଅନୁରୋଧ କରିଛନ୍ତି ।