ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ଥାନା ଅନ୍ତର୍ଗତ କଲା ସରକାରୀ ଦେଶୀ ମଦଭାଟି ଚୁଲି ପାଇଁ ଏକ ଟ୍ରକରେ କାଜୁ ଚୋପା ଭର୍ତ୍ତି ହୋଇ ଆସିଥିଲା। ଏହି ପରିପ୍ରେକ୍ଷୀରେ ଟ୍ରକରୁ କାଜୁ ଚୋପା ଓଲ୍ଲାହି ୭ ଶ୍ରମିକ ଗୁରୁତର ହେବା ସହ ୪ଦିନ ହେବ ଖିଆପିଆ କରି ନପାରି ଦୁଃଖରେ କାଳାତିପାତ କରିବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଶ୍ରମିକମାନଙ୍କୁ କାମରେ ନିୟୋଜିତ କରିଥିବା ଭାଟି କର୍ମଚାରୀ ଥରେ ମାତ୍ର ପୀଡିତମାନଙ୍କୁ ପ୍ରାଥମିକ ଚିକିତ୍ସା କରି ଆଉ ଦେଖା ଦେଉନଥିବା ପୀଡିତଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି l
ମିଳିଥିବା ସୂଚନା ଅନୁଯାୟୀ ବାରକୋଟ ଥାନା ଅନ୍ତର୍ଗତ ବଳିତା ଗାଁର କନ୍ଦର୍ପ ଧରେଇ, ବନ୍ଧୁ ମହାକୁଳ, ଡାକ୍ତର ଧୀବର, ତ୍ରିଲୋଚନ ଧୀବର, ରଜ ମହାକୁଳ, ମନୋଜ ମହାକୁଳ ଓ କରଣ ଧୀବର ପ୍ରମୁଖ ୭ ଜଣ ଶ୍ରମିକ ଗତ ଗୁରୁବାର ଦିନ କଲା ସରକାରୀ ଦେଶୀ ମଦ ଭାଟିକୁ କାମ କରିବାକୁ ଯାଇଥିଲେ l ମଦଭାଟି ଚୁଲିରେ ଜାଳ ପାଇଁ ବ୍ୟବହୃତ କାଜୁ ଚୋପା ବୋଝେଇ ଏକ ଟ୍ରକ ସେଠାରେ ପହଁଚି ଥିଲା l ଭାଟି କର୍ମଚାରୀ ଉକ୍ତ ଶ୍ରମିକଙ୍କୁ ଟ୍ରକରୁ କାଜୁ ଚୋପା ଭର୍ତ୍ତି ବସ୍ତା ଓଲ୍ହାଇବା କାମରେ ନିୟୋଜିତ କରି ଥିଲେ l କାଜୁ ଚୋପା ଓଲ୍ହାଇବା ପରେ ରାତ୍ରିରୁ ଉକ୍ତ ଶ୍ରମିକ ମାନଙ୍କ ହାତ, ପାପୁଲି ଓ ଗୋଡ଼ ଇତ୍ୟାଦି ଫୁଲି ଯିବା ସହ ଯନ୍ତ୍ରଣା ଅନୁଭବ କରିଥିଲେ। କ୍ରମଶଃ ଏହି ଯନ୍ତ୍ରଣା ବଢ଼ି ଚାଲିବା ସହ ସେମାନଙ୍କ ହାତ, ପାପୁଲି ଓ ଗୋଡ଼ ଆଦି ଫୁଲି ଫାଟିବା ସହ ଗଭୀର କ୍ଷତ ସୃଷ୍ଟି ହୋଇଥିଲା l ତେବେ ଗରିବ ଦିନ ମଜୁରିଆ ଥିବା କାରଣ ରୁ ଅର୍ଥ ଯୋଗାଡ଼ କରିନପାରି ଚିକିତ୍ସା କରି ପାରୁ ନଥିବା ବେଳେ ହାତ ଗୋଡ଼ରେ କ୍ଷତ ଯୋଗୁଁ ସେମାନେ କାମ ଧନ୍ଦା କରି ନପାରି ନିଜ ପରିବାର ପ୍ରତିପୋଷଣ ନେଇ ଚିନ୍ତିତ ହୋଇପଡିଛନ୍ତି। ଅନ୍ୟପକ୍ଷରେ ମଦ ଭାଟି କର୍ମଚାରୀ ପୀଡିତ ଶ୍ରମିକଙ୍କ ଚିକିତ୍ସା ପାଇଁ କୌଣସି ବ୍ୟବସ୍ଥା କରି ନଥିବାରୁ ଶ୍ରମିକ ମାନଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି। ତେବେ ସ୍ଥାନୀୟ କେତେକ ସଚେତନ ନାଗରିକ ଗରିବ ଶ୍ରମିକ ପରିବାରଙ୍କୁ ଚିକିତ୍ସା ପାଇଁ ବ୍ୟବସ୍ଥା କରିବାକୁ ବ୍ଲକ୍ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଏ ସମ୍ପର୍କରେ ବାରକୋଟ ବ୍ଲକ୍ ବିଡ଼ିଓ ଟୁନୁ ମେହେରଙ୍କ ମତାମତ ନେବାରୁ ଘଟଣା ସମ୍ପର୍କରେ ସେ ଅବଗତ ଥିବା ଏବଂ ଘଟଣା ତଦନ୍ତ ପୂର୍ବକ ଗୁରୁତର ଶ୍ରମିକଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ l ତେବେ ଭାଟି କର୍ମଚାରୀ ମାନେ ଶ୍ରମିକ ମାନଙ୍କୁ ସୁରକ୍ଷା ଉପକରଣ ବିନା କିଭଳି ବିପଦ ପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ କଲେ ସେ ନେଇ ଜିଲ୍ଲା ଶ୍ରମ ବିଭାଗ ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉକ୍ତ ଗ୍ରାମ ର ବହୁ ପୁରୁଷ ଓ ମହିଳା ଦୃଢ ଦାବି କରିଛନ୍ତି l