ମାଲକାନଗିରି,ଏନ୍ଏନ୍ଏସ୍ : ଛତିଶଗଡ଼ ରାଜ୍ୟର ରାୟପୁରରେ ଅଟକି ରହିଥିବା ମାଲକାନଗିରିର ୨୦ଜଣ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ଉଦ୍ଧାର କରିଛି । ମାଲକାନଗିରି ଜିଲ୍ଲାର ପ୍ରାୟ ୨୦ଜଣ ଛାତ୍ରଛାତ୍ରୀ ରାୟପୁରର ଶିବପୁରି ନବୋଦୟ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ । କୋରନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ବିଦ୍ୟାଳୟ ଛୁଟି ଘୋଷଣା ହେବାରୁ ମାଲକାନଗିରି ଆସିବା ପାଇଁ ପ୍ରଥମେ ରାୟପୁର ଆସିଥିଲେ । ତେବେ ସେଠାରେ ରହିବା,ଖାଇବା ପାଇଁ ସମସ୍ୟା ହୋଇଥିବାବେଳେ ଆନ୍ତଃରାଜ୍ୟ ବସ ସେବା ବନ୍ଦ ଥିବାରୁ ମାଲକାନଗିରି ଆସିବାକୁ କୌଣସି ବସ ପାଇନଥିଲେ ଓ ଷ୍ଟେସନରେ ଦୁଇଦିନ ଅଟକି ରହିଥିଲେ ।
ଏ ସମ୍ପର୍କରେ ରାୟପୁର ଜିଲ୍ଲା ପ୍ରଶାସନ ଖବର ପାଇ ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କୁ ଯୋଗାଯୋଗ କରିଥିଲା । ଏହାପରେ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ତୁରନ୍ତ ମାଲକାନଗିରି ଡିଏଫଓ ପ୍ରଦିପ ଦେବିଦାସ ମିରାଶେ ସହ ଯୋଗାଯୋଗ କରି ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ପରେ ଏକ ସ୍ୱତନ୍ତ୍ର ବସରେ ଏହି ଛାତ୍ରଛାତ୍ରୀମାନଙ୍କୁ ରାୟପୁରରୁ ମାଲକାନଗିରି ଅଣାଯାଇଥିଲା।