ନୂଆଦିଲ୍ଲୀ : ଦେଶରେ ମହାମାରୀ ‘କରୋନା’ ଭୂତାଣୁକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆସନ୍ତା ୨୨ ତାରିଖରେ ଦେଶରେ ‘ଜନତା କର୍ଫ୍ୟୁ’ ପାଳନ କରିବାକୁ ଅନୁରୋଧ କରିଛନ୍ତି । ଗୁରୁବାର ରାତି ୮ଟାରେ ପ୍ରଧାନମନ୍ତ୍ରୀ ମୋଦୀ ନିଜ ସମ୍ବୋଧନରେ କହିଛନ୍ତି, କରୋନା ଭୂତାଣୁର ପ୍ରକୋପ ଇତିହାସର ପ୍ରଥମ ଏବଂ ଦ୍ବିତୀୟ ବିଶ୍ଵଯୁଦ୍ଧଠାରୁ ଭୟଙ୍କର ।
ତେଣୁ କରୋନାର ମୁକାବିଲା ପାଇଁ ଆପଣମାନଙ୍କ ଠାରୁ ମୋତେ ଆଗକୁ ଆସୁଥିବା କିଛି ସମୟ ଦରକାର । ବିଜ୍ଞାନ କରୋନାର ମୁକାବିଲା ପାଇଁ କୌଣସି ଔଷଧ ପ୍ରସ୍ତୁତ କରିପାରି ନାହିଁ କି କୌଣସି ଭ୍ୟାକସିନ ତିଆରି ହୋଇନାହିଁ । ତେଣୁ ଏହାକୁ ନେଇ ଚିନ୍ତା କରିବା ସ୍ବାଭାବିକ । ଯେଉଁ ଦେଶରେ କରୋନାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି ସେଠାରେ ଅଧ୍ୟୟନରୁ ଏକ ନୂଆ ତଥ୍ୟ ମିଳିଛି । ଏହି ଦେଶରେ କରୋନାରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ବହୁ ଦ୍ରୁତଗତିରେ ବଢ଼ିଛି । ଭାରତ ସରକାର ଏହି ଟ୍ରାକ୍ ରେକର୍ଡ ଉପରେ ସମ୍ପୂର୍ଣ୍ଣ ନଜର ରଖିଛନ୍ତି । ତେବେ କିଛି ଦେଶ ଏଭଳି ରହିଛନ୍ତି ଯେଉଁମାନେ ଉପଯୁକ୍ତ ନିଷ୍ପତ୍ତି ନେଇଛନ୍ତି ଏବଂ ନିଜ ଦେଶରେ ଲୋକମାନଙ୍କୁ ଅଧିକରୁ ଅଧିକ ଆଇସୋଲେଟ କରି ସ୍ଥିତିକୁ ସମ୍ଭାଳିଛନ୍ତି ।
ସେଥିରେ ନାଗରିକଙ୍କ ଭୂମିକା ବହୁତ ଗୁରୁତ୍ଵପୂର୍ଣ୍ଣ । ଭାରତ ଭଳି ୧୩୦ କୋଟି ଜନସଂଖ୍ୟାର ଦେଶ ଉପରେ କରୋନାର ଏହି ସଙ୍କଟ ସାମାନ୍ୟ କଥା ନୁହେଁ । ମୁଁ ଆଜି ଆପଣକୁ ଆଉ ଏକ ସମର୍ଥନ ମାଗୁଛି। ତାହା ହେଉଛି ‘ଜନତା କର୍ଫ୍ୟୁ’। ଜନତା କର୍ଫ୍ୟୁ ଜନତାଙ୍କ ପାଇଁ ଜନତାଙ୍କ ଦ୍ବାରା ନିଜ ଉପରେ ଲଗାଯାଉଥିବା କର୍ଫ୍ୟୁ । ୨୨ ମାର୍ଚ୍ଚ ସକାଳ ୭ଟାରୁ ରାତି ୯ଟା ଯାଏ ଜନତା କର୍ଫ୍ୟୁ ପାଳନ କରନ୍ତୁ । ଏହି ସମୟରେ କୌଣସି ନାଗରିକ ଘରୁ ବାହାରିବେ ନାହିଁ, ରାସ୍ତାକୁ ଆସିବେ ନାହିଁ । ଯଦି ଯେଉଁମାନେ ଅତ୍ୟାବଶ୍ୟକ କାର୍ୟ୍ୟରେ ଜଡ଼ିତ, ସେମାନେ ବାହାରକୁ ଯାଇପାରିବେ । କିନ୍ତୁ ଜଣେ ସାଧାରଣ ନାଗରିକ ହିସାବରେ ବାହାରକୁ ବାହାରିବା ଅନୁଚିତ । ଆମର ଏହି ଆତ୍ମସଂଯମ ଆଗକୁ ଆସୁଥିବା ଚ୍ୟାଲେଞ୍ଜର ସମ୍ମୁଖୀନ କରିବାକୁ ପୂରା ଦେଶକୁ ସହାୟତା କରିବ ।