ଆରବିଆଇ ନୋଟିସ୍: ଘରେ ଥାଇ କାମ କରିବେ କର୍ମଚାରୀ…

ମୁମ୍ବାଇ,ଏଜେନ୍ସି: ଭାରତରେ କରୋନା ଭାଇରସ୍‌ ସଂକ୍ରମଣ ଲାଗି ରହିଥିବାରୁ ଘରେ ଥାଇ କାମ କରିବାକୁ ଗୁରୁବାର ରିଜର୍ଭ ବ୍ୟାଙ୍କ ପକ୍ଷରୁ ନୋଟିସ ଜାରି ହୋଇଛି। ମୁମ୍ବାଇରେ ଥିବା ରିଜର୍ଭ ବ୍ୟାଙ୍କର ମୁଖ୍ୟାଳୟ ସମେତ ସମସ୍ତ କର୍ମଚାରୀଙ୍କ ପ୍ରତି ରିଜର୍ଭ ବ୍ୟାଙ୍କ୍‌ ଏଭଳି ନିର୍ଦେଶ ଜାରି କରିଛି। ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣ କରିବାକୁ ମୁମ୍ବାଇ ସରକାର ଜାରି କରିଥିବା ଆଦେଶ ଅନୁଯାୟୀ କେନ୍ଦ୍ରୀୟ ବ୍ୟାଙ୍କ୍‌ ଏହିଭଳି ପଦକ୍ଷେପ ଗ୍ରହଣ କରିଛି। ଆର୍ଥିକ ସ୍ଥିରତା ସମ୍ବନ୍ଧୀୟ ସମସ୍ତ ଜରୁରୀ ବୈଠକ ପୂର୍ବଭଳି ନିୟମିତ ଚାଲିବ କିନ୍ତୁ, ଏବେ ତାହା ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କରାଯିବ। ମହାରାଷ୍ଟ୍ରରେ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୫ ଟପିଥିବାରୁ ଲୋକେ ଯଥା ସମ୍ଭବ ଘରେ ରହିବାକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କହିଛନ୍ତି।

ଅଫିସରେ କର୍ମଚାରୀ ସଂଖ୍ୟା କମାଇବା ସହ ଜନଗହଳି ହେଉଥିବା ସ୍ଥାନଗୁଡ଼ିକୁ ବନ୍ଦ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
କରୋନା ଭାଇରସ୍‌ ସଂକ୍ରମଣ ନିୟନ୍ତ୍ରଣ କରିବାକୁ ‘ବୃହନ୍‌ମୁମ୍ବାଇ ମୁନିସ୍‌ପାଲ୍‌ କର୍ପୋରେସନ୍‌’ ରାସ୍ତାଘାଟରେ ଛେପ ପକାଉଥିବା ଲୋକଙ୍କ ଉପରେ ଜୋରିମାନା କରିବା ଆରମ୍ଭ କରିଛି। ଏଯାବତ୍‌ ଶତାଧିକ ଲୋକଙ୍କ ଉପରେ ଜୋରିମାନା କରାଯାଇ ୧ ଲକ୍ଷରୁ ଅଧିକ ଟଙ୍କା ଆଦାୟ କରାଯାଇଛି ବୋଲି ‘ବିଏମ୍‌ସି’ କହିଛି।