ଡାକ୍ତରଙ୍କୁ ମାଡ଼ ମାରିବା ଅଭିଯୋଗରେ ମେଡିକାଲ ଅଚଳ, ରୋଗୀ ହନ୍ତସନ୍ତ

ଆଳି,ଏନ୍ଏନ୍ଏସ୍: ଗତ ବୁଧବାର ବିଳମ୍ବିତ ରାତିରେ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରଙ୍କୁ ଦୁର୍ବ୍ୟବହାର ଓ ମାଡ଼ ମାରିବା ଅଭିଯୋଗରେ ଗୁରୁବାର ସକାଳୁ ମେଡ଼ିକାଲରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁସାରେ ବୁଧବାର ରାତିପ୍ରାୟ ୧୧ଟା ସମୟରେ ଆଳି ମେଡ଼ିକାଲର ଡାକ୍ତର ଅଜୟ ମହାରଣା କାର୍ଯ୍ୟରେ ଥିବା ବେଳେ ୩ ଜଣ ବ୍ୟକ୍ତି ମେଡ଼ିକାଲକୁଯାଇ ତାଙ୍କସହ ଦୁର୍ବ୍ୟବହାର କରିଥିଲେ। ଏଥିସହିତ ତାଙ୍କ ମାଡ଼ ମଧ୍ୟ ମାରିଥିବା ଅଭିଯୋଗ ହୋଇଛି। ତେବେ ଏ ସମ୍ପର୍କରେ ଶ୍ରୀ ମହାରଣା ଆଳି ଥାନାରେ ସମ୍ପୃକ୍ତ ୩୩ ବ୍ୟକ୍ତିଙ୍କ ନାମରେ ଅଭିଯୋଗ କରିଥିବା ଜଣାପଡିଛି। ଡାକ୍ତରଙ୍କୁ ମାଡ଼ ମରାଯିବା ଘଟଣା ପରେ ମେଡ଼ିକାଲର ସମସ୍ତ ଡାକ୍ତର ଗୁରୁବାର କାର୍ଯ୍ୟବନ୍ଦ କରିଛନ୍ତି।

ଡାକ୍ତରମାନେ କେନ୍ଦ୍ରାପଡ଼ା ସିଡିଏମଓଙ୍କୁ ଅଭିଯୋଗ କରିବାକୁ  ଯାଇଥିବା ମେଡ଼ିକାଲର ଅନ୍ୟ କର୍ମଚାରୀ ପ୍ରକାଶ କରିଛନ୍ତି। ମେଡ଼ିକାଲରେ ଡାକ୍ତର ନଥିବାରୁ ଶହ ଶହ ରୋଗୀ ମେଡ଼ିକାଲକୁଆସି ଫେରୁଥିବା ଦେଖିବାକୁ ମିଳିଛି। କେବଳ ଜଣେ ମାତ୍ର ଡାକ୍ତର ଏମରଜେନ୍ସି ଓ୍ଵାର୍ଡରେ ରୋଗୀ ଦେଖୁଥିବା ଜଣାପଡିଛି। ଏହି ଘଟଣାରେ ଆଳି ପୁଲିସ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଖୁବଶୀଘ୍ର ଗିରଫ କରିବ ବୋଲି ଆଇଆଇସି ସଲିଲ  ପ୍ରଧାନ ସୂଚନା ଦେଇଛନ୍ତି।