ଅସହାୟ ବିଧବା ମହିଳାଙ୍କ ଶବ ସତ୍କାର କରାଇଲା ପୁଲିସ, ସାଧାରଣରେ ପ୍ରଶଂସା କଲେ ଜିଲ୍ଲା By Nitidin On Mar 18, 2020 Share ଦେବଗଡ଼,ଏନ୍ଏନ୍ଏସ୍: ସାଧାରଣରେ ପୁଲିସକୁ ନେଇ ଜନ ସାଧାରଣଙ୍କ ମନରେ ଭୟ ରହିଥିବା ବେଳେ ସେମାନଙ୍କର ମାନବିକତାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୁଏ। ଏହି ପରିପ୍ରେକ୍ଷୀରେ ଆଜି ବାରକୋଟ ଥାନା ପୁଲିସ ଜଣେ ଅସହାୟ ବିଧବା ମହିଳାର ଶବ ସତ୍କାର କରି ମାନବିକତାର ପରିଚୟ ଦେଇଥିବା ଦେଖିବାକୁ ମିଳିଛି। ବାରକୋଟ ଥାନା ପୁଲିସର ଏଭଳି କାର୍ଯ୍ୟକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି। ସୂଚନା ଅନୁଯାୟୀ ବାରକୋଟ ବ୍ଲକ୍ କାଳିଆପାଳ ପଞ୍ଚାୟତ ଜାଳିସୁଆଁ ଗ୍ରାମର ସ୍ୱର୍ଗତ ଶବର ମହାକୁଳଙ୍କ ସ୍ତ୍ରୀ କାନ୍ଦ୍ରି ମହାକୁଳ (୭୦) ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ତେବେ ଗତକାଲି ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ କେତେକ ସମ୍ପର୍କୀୟ ଓ ପଡିଶା ଲୋକ ଗତକାଲି ତାଙ୍କୁ ବାରକୋଟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ଆଜି ପ୍ରତ୍ୟୁଷାରେତାଙ୍କ ମୃତ୍ୟୁ ଘଟିଥିଲା। ତେବେ କାନ୍ଦ୍ରିଙ୍କ ସମ୍ପର୍କୀୟ ଅତ୍ୟନ୍ତ ଗରିବ ପରିବାରର ଥିବାରୁ ଡାକ୍ତରଖାନାରୁ ନିଜ ଗାଁକୁ ମୃତ ଦେହ ନେବାକୁ ଗାଡି ଭଡା କରିପାରି ନଥିଲେ। ସୂଚନା ପାଇ ବାରକୋଟ ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା ଥାନା କର୍ମଚାରୀଙ୍କ ସହ ଡାକ୍ତରଖାନାକୁ ପହଞ୍ଚି ବିଧବା କାନ୍ଦ୍ରିଙ୍କ ମୃତ ଦେହକୁ ନେବା ପାଇଁ ଏକ ଗାଡିର ବ୍ୟବସ୍ଥା କରିବା ସହ ମୃତକଙ୍କ ସମ୍ପର୍କୀୟଙ୍କୁ ଆର୍ଥିକ ସହାୟତା ଦେଇ ନିଜେ ପୁଲିସ କର୍ମଚାରୀଙ୍କ ସହାୟତରେ ମୃତ ଦେହ ବୋହି ଗାଡ଼ିରେ ରଖିବା ସହ ମୃତ ଦେହ ସତ୍କାର ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ। ଥାନା ଅଧିକାରୀଙ୍କ ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଇଥିବା ବେଳେ ଜିଲ୍ଲା ପୁଲିସର ଛବିରେ ଏକ ନୂତନ ଫର୍ଦ ଯୋଡି ହୋଇଛି। Share