ନୂଆଦିଲ୍ଲୀ : ମଧ୍ୟପ୍ରଦେଶର କମଲନାଥ ନେତୃତ୍ୱାଧୀନ କଂଗ୍ରେସ ସରକାରଙ୍କୁ ବିଧାନସଭାରେ ନିଜର ବହୁମତ ପ୍ରମାଣ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ଶୁଣାଣି କରିବେ । ଶ୍ରୀ ଚୌହାନ ଓ ୯ଜଣ ବିଜେପି ବିଧାୟକ ସୋମବାର ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ସୋମବାର ବିଧାନସଭାର ବାଚସ୍ପତି ଏମ୍.ପି. ପ୍ରଜାପତି ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ନିର୍ଦ୍ଦେଶକୁ ଉପେକ୍ଷା କରି ସରକାରଙ୍କୁ ଗୃହରେ ବହୁମତ ପରୀକ୍ଷା କରିବାକୁ ନ କହି ଗୃହକୁ ଚଳିତ ମାସ ୨୬ ତାରିଖ ପର୍ୟ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ଏହାକୁ ବିରୋଧ କରି ଶ୍ରୀ ଚୌହାନ ଓ ଅନ୍ୟ ୯ ଜଣ ବିଧାୟକ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଏହା ଉପରେ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ ଓ ହେମନ୍ତ ଗୁପ୍ତାଙ୍କ ପୀଠ ଆଜି ଶୁଣାଣି କରିବେ।