ନୂଆଦିଲ୍ଲୀ : ଦେଶରେ ମହାମାରୀ କରୋନା କାୟା ବିସ୍ତାର କରିଚାଲିଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ତୁର୍କୀ, ବ୍ରିଟେନ ଏବଂ ୟୁରୋପୀୟ ସଘଂର ଲୋକମାନଙ୍କ ଭାରତ ଆସିବା ଉପରେ କଟକଣା ଲାଗୁ କରାଯାଇଛି । ୧୮ମାର୍ଚ୍ଚରୁ ଏହି କଟକଣା ଲାଗୁ ହେବ । ସେହିପରି ୟୁଏଇ, ଓମାନ ଓ କୁୱେତରୁ ଆସୁଥିବା ଯାତ୍ରୀମାନେ ଭାରତ ଆସିଲେ ସେମାନଙ୍କୁ ୧୪ ଦିନ ଯାଏଁ ନିରୀକ୍ଷଣରେ ରଖିବାର ବ୍ୟବସ୍ଥା କରାଯାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ କେନ୍ଦ୍ର ସରକାର କରୋନାକୁ ମୁକାବିଲା ପାଇଁ ସୋମବାର ଆଉ ଏକ ବଡ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ସମସ୍ତ ଶିକ୍ଷାନୁଷ୍ଠାନକୁ ମାର୍ଚ୍ଚ ୩୧ଯାଏଁ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି । କେବଳ ଶିକ୍ଷାନୁଷ୍ଠାନ ନୁହେଁ ମାର୍ଚ୍ଚ ୩୧ଯାଏଁ ଦେଶର ସମସ୍ତ ସିନେମା ହଲ, ସଂଗ୍ରହାଳୟ, ଜିମ୍ ଓ ସୁଇମିଂ ପୁଲକୁ ମଧ୍ୟ ବନ୍ଦ ରଖିବାକୁ ନିର୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ।