ଯୁବତୀଙ୍କ ଆତ୍ମହତ୍ୟା

ରାୟଗଡ଼ା,ଏନ୍ଏନ୍ଏସ୍ : ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରି ଶେଷରେ ପ୍ରାଣ ହରାଇଛନ୍ତି। ଏପରି ଏକ ଦୁଃଖଦ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଗାଜି ଗାଁ ପଞ୍ଚାୟତରେ।

ସୂଚନା ଅନୁସାରେ, ଗାଜିଗାଁରେ ବାସକରୁଥିବା ନାଗେଶ୍ୱର କଣ୍ଡାଗରୀ ଝିଅ ସମିତା କଣ୍ଡାଗରିଙ୍କୁ ଘର କାମ କରିବା ପାଇଁ କହିଥିଲେ। ସମିତା ଘର କାମ କରିବା ନିମନ୍ତେ ଅନିଛା ପ୍ରକାଶ କରିଥିଲେ। ଏଥିରେ ବାପା ନାଗେଶ୍ୱର ଉତକ୍ଷୀପ୍ତ ହୋଇ ଝିଅ ସମିତା ଉପରେ ରାଗି ଗାଳିଗୁଲଜ କରିଥିଲେ। ଫଳରେ ଦୁଃଖରେ ସମିତା କପା ଚାଷ ପାଇଁ ରଖାଯାଇଥିବା କୀଟନାଶକ ଔଷଧ ଖାଇଦେଇଥିଲେ। ଝିଅର ଅବସ୍ଥା ସଙ୍କଟାପନ୍ନ ହେବାର ଦେଖି ପରିବାରବର୍ଗ ତୁରନ୍ତ ସମିତାକୁ ଜେମାଦେଇପେଣ୍ଠ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ସେଠାରେ ସ୍ଥିତି ସୁଧୁରିବା ପରିବର୍ତ୍ତେ ଜଟିଳ ହେବାକୁ ଲାଗିବାରୁ ତୁରନ୍ତ ତାଙ୍କୁ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ସମିତାକୁ ମୃତ ଘୋଷଣା କରିଥିଲେ। ଫଳରେ ପରିବାରବର୍ଗ ମଧ୍ୟରେ ଶୋକର ଛାୟା ଖେଳିଯାଇଥିଲା। ଏହା ପୂର୍ବରୁ ମୃତ ସମିତା ୨ଦୁଇଥର ଆତ୍ମହତ୍ୟା ଉଦ୍ୟମ କରି ବିଫଳ ହୋଇଥିବା ପିତା ନାଗେଶ୍ୱର କଣ୍ଡାଗରି ପ୍ରକାଶ କରିଛନ୍ତି।