କାହିଁକି ୟେସ୍ ବ୍ୟାଙ୍କରେ ଜମା ହୋଇଥିଲା ଶ୍ରୀଜଗନ୍ନାଥଙ୍କ ଟଙ୍କା ସେ ନେଇ ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ୟେସ ବ୍ୟାଙ୍କରେ କାହିଁକି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ଜମା ହୋଇଥିଲା ତାର ଉତ୍ତରରେ ଗତକାଲି ବିଧାନସଭାରେ ହଟ୍ଟଗୋଳ ହୋଇଥିବା ବେଳେ ୨ ଥର ଗୃହକୁ ମୁଲତବି କରାଯାଇଥିଲା। ଏ ନେଇ ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉତ୍ତର ରଖିଛନ୍ତି। ଅଧିକ ସୁଧ ଆଶାରେ ୟେସ୍ ବ୍ୟାଙ୍କରେ ଟଙ୍କା ଜମା କରାଯାଇଥିଲା ବୋଲି କହିଛନ୍ତି ଅର୍ଥମନ୍ତ୍ରୀ। ଶ୍ରୀମନ୍ଦିର ଅର୍ଥ ରଖିବାକୁ ୧୨ଟି ବ୍ୟାଙ୍କ ପ୍ରସ୍ତାବ ଦେଇଥିଲେ।

ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଏକ ସ୍ୱଚ୍ଛ ବ୍ୟବସ୍ଥା ମାଧ୍ୟମରେ ବ୍ୟାଙ୍କ ଚୟନ କରାଯାଇଥିଲା। ଏଥିପାଇଁ ୧୨ ମାର୍ଚ୍ଚ ୨୦୧୯ରେ ୧୨ଟି ବ୍ୟାଙ୍କ ଶ୍ରୀମନ୍ଦିର ଅର୍ଥ ରଖିବାକୁ ପ୍ରସ୍ତାବ ଦେଇଥିଲା। ତେବେ ୟେସ୍ ବ୍ୟାଙ୍କ ସର୍ବାଧିକ ୮.୬୧ ପ୍ରତିଶତ ସୁଧ ଦେବାକୁ ରାଜି ହୋଇଥିଲା। ୟେସ୍ ବ୍ୟାଙ୍କର ସୁଧ ହାର ଅଧିକ ଥିବାରୁ ଶ୍ରୀଜଗନ୍ନାଥଙ୍କ ଅର୍ଥ ଏହି ବ୍ୟାଙ୍କରେ ଗୋଟିଏ ବର୍ଷ ପାଇଁ ଜମା କରାଯାଇଥିଲା। ତେବେ ୫ ମାର୍ଚ୍ଚ ୨୦୨୦ ପୂର୍ବରୁ ୟେସ୍ ବ୍ୟାଙ୍କ୍ ସହ କାରବାର ନ କରିବାକୁ କୌଣସି ସୂଚନା ନଥିଲା। ଏହାଛଡା ଜଗନ୍ନାଥ ମନ୍ଦିରର ଅର୍ଥ ମନ୍ଦିର ପରିଚାଳନା କମିଟି ଦ୍ୱାରା ପରିଚାଳିତ ହୋଇଥାଏ। ଏଥିରେ ରାଜ୍ୟ ସରକାର ହସ୍ତକ୍ଷେପ କରନ୍ତି ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଅର୍ଥମନ୍ତ୍ରୀ।