ନୂଆଦିଲ୍ଲୀ : କଂଗ୍ରେସର ୭ ଜଣ ଲୋକସଭା ସାଂସଦଙ୍କୁ ବଜେଟ୍ ଅଧିବେଶନ ଶେଷ ହେବା ପର୍ୟ୍ୟନ୍ତ ଲୋକସଭାର କାର୍ୟ୍ୟଧାରାରେ ଭାଗ ନେବାରୁ ନିଲମ୍ବନ କରାଯାଇଛି। ସେମାନେ ଗୃହରେ ହଟ୍ଟଗୋଳ ସୃଷ୍ଟି କରୁଥିଲେ ଓ ବାଚସ୍ପତିଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରିଥିବାରୁ ଏହି ପଦକ୍ଷେପ ନିଆଯାଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ନିୟମ ୩୭୪ ଅଧୀନରେ ଏ ସଂକ୍ରାନ୍ତରେ ଏକ ପ୍ରସ୍ତାବ ଆଗତ କରିଥିଲେ ।
ପୂର୍ବରୁ ବାଚସ୍ପତି ସଦସ୍ୟମାନଙ୍କର ଆଚରଣର ନିନ୍ଦା କରିଥିଲେ । ଲୋକସଭାରେ ଖଣିଜ ପଦାର୍ଥ ଆଇନ୍ ସଂଶୋଧନ ବିଲ୍ ୨୦୨୦ ଉପରେ ଆଲୋଚନା ଚାଲିଥିବା ବେଳେ ସେହି ସଦସ୍ୟମାନେ ବିଲର ନକଲକୁ ଚିରି ଫିଙ୍ଗିଦେଇଥିଲେ । ସେହି ସମୟରେ ମିନାକ୍ଷୀ ଲେଖି ଅଧିଷ୍ଠାତା ମଣ୍ଡଳୀ ସଦ୍ୟ ଭାବେ ବାଚସ୍ପତିଙ୍କ ଆସନରେ ବସିଥିଲେ । ନିଲମ୍ବିତ ହୋଇଥିବା ସଦସ୍ୟମାନଙ୍କ ମଧ୍ୟରେ ଗୌରବ ଗୋଗୋଇ, ଟି.ଏନ୍. ପ୍ରଥପନ, ଡିନ୍ କୁରିଆକୋଷେ, ମନିକମ୍ ଟ୍ୟାଗୋର, ଗୁରଜିତ ସିଂହ ଔଜଲା, ରାଜମୋହନ ଉନିଥନ ଓ ବେନି ବେହେନାନ ରହିଛନ୍ତି। ମୌଖିକ ଭୋଟରେ ଏହି ପ୍ରସ୍ତାବ ଗୃହିତ ହେବା ପରେ ବାଚସ୍ପତି ସେହି ସଦସ୍ୟମାନଙ୍କର ନିଲମ୍ବନ ଆଦେଶ ଦେଇଥିଲେ । ପରେ ଗୃହକୁ ସାରା ଦିନ ପାଇଁ ମୁଲତବୀ ରଖାଯାଇଥିଲା ।