କୋରାପୁଟ, ସମ୍ବଲପୁର, ଏନ୍ଏନ୍ଏସ୍ : ଗତ ପହିଲାରୁ ରାଜ୍ୟରେ ନୂତନ ମୋଟରଯାନ ଆଇନ କଡ଼ାକଡ଼ି ଲାଗୁ ହେବାପରେ କୋରାପୁଟ ଦେଇ ଜୟପୁର ଯାଉଥିବା ଟ୍ରକ ମାଲିକଙ୍କୁ ୯୧ ହଜାର ଟଙ୍କା ତଣ୍ଡ ଦେବାକୁ ପଡ଼ିଛି। ଟାଉନ୍ ଥାନା ଅତିରିକ୍ତ ଥାନା ଅଧିକାରୀ ଶଙ୍କର ପ୍ରସାଦ ମାଝୀ ଓ ଏଏସ୍ଆଇ ଅକ୍ଷୟ ମିଶ୍ର ଟ୍ରକକୁ ଯାଞ୍ଚ କରିବା ସମୟରେ ଗାଡ଼ିର କାଗଜାଦ, ଫିଟନେସ୍ ଓ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ଠିକ୍ ନଥିବା ଜାଣିବାକୁ ପାଇଥିଲେ।
ଏମଭିଆଇ ଶୁଭେନ୍ଦୁ ସାହୁ ଘଟଣାସ୍ଥଳରେ ପହଞ୍ôଚ କାଗଜପତ୍ର ଯାଞ୍ଚ କରି ଟ୍ରକର ଫିଟନେସ ଓ ପଞ୍ଜୀକରଣ ହୋଇନଥିବାରୁ ଏମ୍ଭି ଆକ୍ଟ ୧୯୨ ଅନୁସାରେ ୫ ହଜାର ଟଙ୍କା, ଏପ୍ରିଲ୍ ପହିଲା ୨୦୧୮ ଠାରୁ ମାର୍ଚ୍ଚ ପହିଲା ୨୦୨୦ ମଧ୍ୟରେ ରୋଡ୍ ଟ୍ୟାକ୍ସ ବାବଦରେ ୬୦ହଜାର, ଇନସ୍ୟୁରାନ୍ସ ବାବଦରେ ୨ହଜାର ଟଙ୍କା, ପର୍ମିଟ ବାବଦରେ ୧୦ହଜାର ଟଙ୍କା, ଗାଡ଼ିର ଫିଟନେସ୍ ନଥିବାରୁ ୧୫ଶହ ଟଙ୍କା, ବିଧିମାନ୍ୟ ଡିଏଲ୍ ନଥିବାରୁ ୫ ହଜାର ଓ ଡିଏଲ୍ ନଥାଇ ଗାଡ଼ି ଚଳାଇବା ବାବଦରେ ୫ହଜାର ଟଙ୍କା, ଅଧିକାରୀଙ୍କୁ ଅମାନ୍ୟ କରିବା ବାବଦରେ ୨ହଜାର ଟଙ୍କା, ସାଧାରଣ ଅପରାଧ ୫ଶହ ଟଙ୍କା ଏହିପରି ୯୧ ହଜାର ଫାଇନ୍ ପକାଯାଇଛି।
ସେହିଭଳି ନୂଆ ମୋଟରଯାନ ଆଇନ ଯାଞ୍ଚ ବେଳେ ଗୁରୁବାର ସମ୍ବଲପୁରର ୨ ଜଣ ସ୍କୁଲ ଛାତ୍ର ଦୁଇଚକିଆ ଯାନ ଚଳାଇ ଧରାପଡ଼ିଛନ୍ତି। ଉଭୟଙ୍କ ଉପରେ ୩୦ ହଜାର ଟଙ୍କା ଲେଖାଏଁ ଜୋରିମାନା ହୋଇଛି। ପରିବହନ ବିଭାଗ ଏବଂ ଟ୍ରାଫିକ ପୁଲିସ ପକ୍ଷରୁ ମିଳିତ ଭାବେ ଅଇଁଠାପାଲି ଡାଏଟ୍ ରୋଡ୍ ଛକରେ ଯାଞ୍ଚ ଚାଲିଥିବାବେଳେ ମୁଙ୍ଗାପଡ଼ାନିବାସୀ ଜଣେ ପଞ୍ଚମ ଶ୍ରେଣୀ ଛାତ୍ର ସ୍କୁଟି (ଗାଡ଼ି ନମ୍ବର-ଓଡ଼ି୧୫ ୫୩୧୮) ଏବଂ ପରଦେଶୀପଡ଼ା ବାସିନ୍ଦା ଜଣେ ଦଶମ ଶ୍ରେଣୀ ସ୍କୁଲ ଛାତ୍ର ସ୍କୁଟି(ଗାଡ଼ି ନମ୍ବର-ଓଡ଼ି୧୫ ଏମ୍ ୮୬୬୦) ରେ ଯାଉଥିବାବେଳେ ଧରାପଡ଼ିଥିଲେ। ବିନା ଲାଇସେନ୍ସ ଏବଂ ଜୁଭେନାଇଲ ଆକ୍ଟରେ ଉଭୟଙ୍କୁ ଯଥାକ୍ରମେ ୫ ହଜାର ଓ ୨୫ ହଜାର ଟଙ୍କା ମୋଟ ୩୦ ହଜାର ଟଙ୍କା ଲେଖାଏ ଜୋରିମାନାର ଚାଲାଣ କଟାଯାଇଥିଲା।