ଧାନକ୍ରୟରେ ଅନିୟମିତତା, ଇଟାମାଟି ସମବାୟ ସମ୍ପାଦକ ନିଲମ୍ବିତ

ନୟାଗଡ଼,ଏନ୍‌ଏନ୍‌ଏସ୍: ନୟାଗଡ଼ ଜିଲ୍ଲା ଇଟାମାଟି ସମବାୟ ସମିତିରେ ଧାନ କିଣାକିଣିରେ ବ୍ୟାପକ ଅନିୟମିତତା ହେଉଥିବା ବେଳେ ଏ ନେଇ ଚାଷୀମାନେ ବାରମ୍ବାର ଅଭିଯୋଗ  କରିଆସୁଥିଲେ। ଏହି ଘଟଣାରେ ଚାଷୀଙ୍କ ଅଭିଯୋଗକୁ ଭିତ୍ତି କରି ତଦନ୍ତ କରି ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ ଇଟାମାଟି ସମବାୟ ସମିତି ସମ୍ପାଦକଙ୍କୁ ତାଙ୍କ କାର୍ଯ୍ୟରୁ ନିଲମ୍ବିତ କରିଥିବା ଜଣାପଡ଼ିଛି। ବୁଧବାର ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ଚିଠି ନଂ ୮୪୧/ସିଏସ ଅନୁଯାୟୀ ଇଟାମାଟି ସମବାୟ ସମିତି ସମ୍ପାଦକ ରବୀନ୍ଦ୍ର କୁମାର ପ୍ରଧାନଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଇଟାମାଟିର୩ଜଣ ଚାଷୀଙ୍କୁ ବ୍ୟକ୍ତିଗତ ହାଜର ହେବା ପାଇଁ ନୋଟିସ ହୋଇଛି। ସୂଚନାନୁସାରେ, ଉକ୍ତ ସମିତିରେ ପ୍ରକୃତ ଚାଷୀଙ୍କୁ ଅଣଦେଖା କରାଯାଉଥିବା ଏବଂ ସମବାୟ ସମିତି ସଭାପତି, ସମ୍ପାଦକ ଓ ଦଲାଲ ମିଶି ବିଭିନ୍ନ ଦୁର୍ନୀତିରେ ଲିପ୍ତ ରହୁଥିବା ନେଇ ଅଭିଯୋଗ ହୋଇଥିଲା।

ସମ୍ପାଦକ ରବୀନ୍ଦ୍ର କୁମାର ପ୍ରଧାନ ଟଙ୍କା ନେଇ ଅଣଚାଷୀ ଏବଂ ଭାଗଚାଷୀଙ୍କ ନାମରେ ବହୁ ଜମି ପଞ୍ଜୀକରଣକରାଇ ଅସାଧୁ ଉପାୟରେ ଧାନ କିଣାବିକା କରୁଥିଲେ। ପ୍ରକୃତ ଚାଷୀ ଦେଇଥିବା ଜମି ପଟାକୁ ପଞ୍ଜୀକରଣରୁ ବାଦ ଦେଇ ପଡ଼ିଆ ଓ ଠାକୁରଙ୍କ ନାମରେ ଥିବା ଜମିରେ ଧାନ କିଣାବିକା କରୁଥିବା ନେଇ ଅଭିଯୋଗ ହୋଇଥିଲା। ଯେଉଁ ଚାଷୀ ପ୍ରତିବାଦ କରୁଛନ୍ତି ସେମାନଙ୍କ ଧମକ ଦେଉଥିବା ଚାଷୀମାନେ ଜିଲ୍ଲାପାଳଙ୍କୁ ଦେଇଥିବା ଦାବି ପତ୍ରରେ ଉଲ୍ଲେଖ କରିଥିଲେ। ଚାଷୀ ଅଧିକାରୀ ମହାରଣାଙ୍କ ଜମି ଏବଂ ଚାଷୀ ଦାମୋଦର ବେହେରା, ବିଜୟ କୁମାର ଜେନାଙ୍କ ଭଳି ବହୁ ଚାଷୀ ଦେଇଥିବା ଅଭିଯୋଗକୁ ଭିତ୍ତି କରି ଗତ ୨୫ ତାରିଖରେ ଅଧିକାରୀମାନେ ତଦନ୍ତ କରି ଫେରିଥିଲେ।

ଏତଦ୍ ବ୍ୟତୀତ ଏହି ସମବାୟ ସମିତିରେ ବହୁ ଦୁର୍ନୀତି ହୋଇଥିବା ନେଇ ମଧ୍ୟ ପରମୁହୂର୍ତ୍ତରେ ଅଭିଯୋଗ ସାମନାକୁ ଆସିଥିଲା। ଘରବାଡ଼ି ଥିବା ପ୍ଲଟ୍‍ ଓ ନଡ଼ିଆ ଓ ଚାକୁଣ୍ଡା ଜମି ନାମରେ ଧାନ କିଣାବିକା ହୋଇଥିବା ଜଣା ପଡ଼ିଥିଲା। ନାରାୟଣୀ ଠାକୁରାଣୀ ପାଇଁ ଥିବା ଜମି ପଡ଼ିଆ ପଡ଼ିଥିବା  ବେଳେ ଏହି ଜମିର ପ୍ଲଟ୍‍ ନଂ ପକାଯାଇ ଧାନ ଅମଳ କରାଯାଉଥିବା ଦର୍ଶାଯାଇଛି। ଦଲାଲଙ୍କ ଦ୍ୱାରା ଧାନ କଳାବଜାରୀକରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଓ ତଦନ୍ତକୁ ଭିତ୍ତି କରି ଜିଲ୍ଲାପାଳ ତାଙ୍କୁ ନିଲମ୍ବନ କରିଥିବା ବେଳେ ଇଟାମାଟି ଗ୍ରାମର ତିନିଜଣ ଚାଷୀଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ନୋଟିସ କରାଯାଇଥିବା ସମବାୟ ସମିତି ସମୂହ ସହକାରୀ ନିବନ୍ଧକ ଭାସ୍କର ପାଣିଗ୍ରାହୀ ସୂଚନା ଦେଇଛନ୍ତି। ପ୍ରକାଶ ଯୋଗ୍ୟ ଯେ, ୨୦୧୭– ୮ ମସିହାରେ ସମ୍ପାଦକ ରବୀନ୍ଦ୍ର କୁମାରପ୍ରଧାନ ଏହି ଭଳି ଦୁର୍ନୀତିରେ ଲିପ୍ତ ରହି ନିଲମ୍ବିତ ହୋଇଥିଲେ। ଏବେ ଦ୍ୱିତୀୟ ଥର ପାଇଁ ସେ ନିଲମ୍ବନ ହୋଇଥିବା ବେଳେ ତାଙ୍କ  ନାମରେ ମୋ ସରକାର ଛାଟ ବାଜିବାର ସମ୍ଭାବନା ରହିଥିବା ଜଣାଯାଇଛି।