ସଡ଼କ ଦୁର୍ଘଟଣାରେ ୧ ମୃତ : ୩ ଗୁରୁତର

ଭଦ୍ରକ,ଏନ୍ଏନ୍ଏସ୍ : ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଚରମ୍ପା ରେଲୱେ ଓଭର ବ୍ରିଜ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଛିଡ଼ା ହୋଇଥିବା କଣ୍ଟେନରକୁ ଏକ କାର ପଛପଟୁ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ୩ ଗୁରୁତରଙ୍କୁ ପ୍ରଥମେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ପରେ ସମସ୍ତଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁଯାୟୀ, କାରରେ ୪ ଜଣ ଯାଉଥିବା ବେଳେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା କଣ୍ଟେନରକୁ ପଛପଟୁ ଧକ୍କା ଦେଇଥିଲେ । ଫଳରେ କାରରେ ଥିବା ୪ ଜଣଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ୩ ଜଣ ଗୁରୁତର ହୋଇଥିଲେ । କାର ଯୋଗେ ଉକ୍ତ ୪ ଜଣ ଭଦ୍ରକରୁ ବାସୁଦେବପୁର ଫେରୁଥିଲେ । ସେହି ସମୟରେ ଚରମ୍ପା ରେଲୱେ ଓଭର ବ୍ରିଜ ନିକଟରେ ଠିଆ ହୋଇଥିବା କଣ୍ଟେନରକୁ କାରଟି ଧକ୍କା ଦେବାରୁ କାରରେ ଥିବା ୪ ଜଣ ଗାଡ଼ି ଭିତରେ ଚାପି ହୋଇଯାଇଥିଲେ । ସ୍ଥାନୀୟଲୋକେ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଗ୍ୟାସ କଟରରେ କାରକୁ କାଟି ସମସ୍ତଙ୍କୁ ଉଦ୍ଧାର କରିଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।