ଆଜିଠୁ ୪ଦିନ ବର୍ଷା ସମ୍ଭାବନା

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଘୂର୍ଣ୍ଣିବଳୟ ପ୍ରଭାବରେ ମଙ୍ଗଳବାର ରାଜ୍ୟର ଅଳ୍ପ କେତେକ ସ୍ଥାନରେ ବର୍ଷା ହୋଇଥିବାବେଳେ ଆଜିଠୁ ବର୍ଷା ପ୍ରଭାବ ବଢ଼ିବ । ଅଧିକାଂଶ ଅଞ୍ଚଳରେ ଘଡ଼ଘଡ଼ି ସହିତ ବର୍ଷା ଏବଂ ୩୦ରୁ ୪୦କିମି ବେଗରେ ପବନର ସମ୍ଭାବନା ରହିଛି । ବର୍ଷା ପ୍ରଭାବ ୭ତାରିଖ ପର୍ଯ୍ୟନ୍ତ ଲାଗିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏଥିପାଇଁ ସତର୍କ ରହିବାକୁ ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସୂଚନା ଅନୁଯାୟୀ, ଆସନ୍ତାକାଲି ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ,ବାଲେଶ୍ୱର, ଅନୁଗୋଳ, ଢ଼େଙ୍କାନାଳ, କଟକ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି ସମେତ ଅନ୍ୟ କେତକ ଜିଲ୍ଲାରେ ବର୍ଷା ହେବ। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, କନ୍ଧମାଳ, ରାୟଗଡ଼ା, ବୌଦ୍ଧ, ସୁନ୍ଦରଗଡ଼, କଳାହାଣ୍ଡି, ଢ଼େଙ୍କାନାଳ ଓ କଟକରେ ଘଡ଼ଘଡ଼ି ସହିତ ବର୍ଷା ହେବ।

ଆସନ୍ତା ୫ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ସୋନପୁର, କନ୍ଧମାଳ, ବୌଦ୍ଧ, କଟକ ଜିଲାର ଅଧିକାଂଶ ଅଞ୍ଚଳ ଏବଂ ବାଲେଶ୍ୱର , ଭଦ୍ରକ, ନୟାଗଡ଼, ଖୋର୍ଦ୍ଧା, ଯାଜପୁର, ଗଞ୍ଜାମ ଓ ଅନ୍ୟ କେତେକ ଜିଲାରେ କିଛି ସ୍ଥାନରେ ବର୍ଷା ହେବ। ଏହି ସମୟରେ କନ୍ଧମାଳ ,ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୋଳ, ସୁନ୍ଦରଗଡ଼, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କଟକ, ଯାଜପୁର, ଭଦ୍ରକ , ଖୋଦ୍ଧା ଓ ନୟାଗଡ଼ ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହିତ ବର୍ଷା ଏବଂ ୩୦ରୁ ୪୦କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।

୬ ତାରିଖରେ ଉତ୍ତର ଓଡ଼ିଶା ସମେତ ବୌଦ୍ଧ, କନ୍ଧମାଳ, ନୟାଗଡ଼ ,ଖୋର୍ଦ୍ଧା ଏବଂ ଅନ୍ୟ କେତେକ ସ୍ଥାନରେ ବର୍ଷାର ସମ୍ଭାବନା ଥିବାବେଳେ, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ବୌଦ୍ଧ, କଟକ, ଖୋର୍ଦ୍ଧା, ଢ଼େଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ,ବାଲେଶ୍ୱର , କେନ୍ଦୁଝର, ସୁନ୍ଦରଗଡ଼ ଆଦି ୧୪ଟି ଜିଲାରେ ଘଡ଼ଘଡ଼ି ସହିତ ବର୍ଷା ଏବଂ ୩୦ରୁ ୪୦କିମି ବେଗରେ ପବନ ବହିବ ବୋଲି ସତର୍କ କରିଦିଆଯାଇଛି । ୭ରେ ଉପକୂଳ, ଉତ୍ତର ଓଡ଼ିଶାରେ ଘଡ଼ଘଡ଼ି ସହିତ ବର୍ଷା ହେବ । ଏହି ସମୟରେ ମୟୂରଭଞ୍ଜ, କେନ୍ଦୁଝର, ଢ଼େଙ୍କାନାଳ, କନ୍ଧମାଳ ଓ ରାୟଗଡ଼ାରେ ଅଧିକ ବର୍ଷାର ‌ ସମ୍ଭାବନା ରହିଛି।