ସ୍ୱାଧୀନତା ସଂଗ୍ରାମୀ ଡୋରେସ୍ୱାମୀଙ୍କୁ ପାକିସ୍ତାନ ଏଜେଣ୍ଟ କହିଲେ ବିଜେପି ବିଧାୟକ

ବେଙ୍ଗାଲୁରୁ,ଏଜେନ୍ସି : ସୋମବାର କର୍ଣ୍ଣାଟକ ବିଧାନସଭାରେ ବଜେଟ୍ ଅଧିବେଶନ ଚାଲିଥିବା ସମୟରେ ବିଜେପି ବିଧାୟକ ବସନାଗୌଡ଼ା ପାଟିଲ ୟତ୍ନାଲ ସ୍ୱାଧୀନତା ସଂଗ୍ରାମୀ ଏଚଏସ୍ ଡୋରେସ୍ୱାମୀଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ଉପରେ ବିରୋଧୀ ଦଳର ବିଧାୟକମାନେ ପ୍ରବଳ ହଟ୍ଟଗୋଳ ସୃଷ୍ଟି କରିଛନ୍ତି। ବିଧାୟକ ୟତନାଲଙ୍କ ବିବାଦୀୟ ଟିପ୍ପଣୀକୁ ନେଇ ବିରୋଧୀ ଦଳ ନେତା ସିଦ୍ଧରାମାୟା ଗୃହରେ ଆଲୋଚନା ଦାବି କରିଥିଲା ବେଳେ ଶାସକ ଦଳ ତାକୁ ଏଡ଼ାଇ ଯିବାକୁ ଉଦ୍ୟମ କରିଛନ୍ତି। ଗୃହର ମଧ୍ୟଭାଗକୁ ଆସି ବିରୋଧୀ ଦଳର ବିଧାୟକମାନେ ହୋ ହଲ୍ଲା କରୁଥିବା ଭିତରେ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରାପ୍ପା ରାଜ୍ୟପାଳଙ୍କ ବଜେଟ୍ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ।

ବାଚନିକ ଭୋଟରେ ଧନ୍ୟବାଦ ପ୍ରସ୍ତାବ ଗୃହୀତ ହୋଇଥିଲା। ବିଧାୟକ ୟତନାଲ ଡୋରେସ୍ୱାମୀଙ୍କୁ ‘ଜାଲ ସ୍ୱାଧୀନତା ସଂଗ୍ରାମୀ’ ଓ ‘ପାକିସ୍ତାନୀ ଏଜେଣ୍ଟ’ କହିବାରୁ ଉଭୟ ଶାସକ ଓ ବିରୋଧୀ ଦଳ ମଧ୍ୟରେ ବାଦବିବାଦ ଉପୁଜିଛି। କଂଗ୍ରେସ ଅଭିଯୋଗ କରିଛି ଯେ ଡୋରେସ୍ୱାମୀଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଅସମ୍ମାନ ସୂଚକ ମନ୍ତବ୍ୟ ପ୍ରଦାନ କରି ବିଧାୟକ ୟତନାଲ ସମ୍ବିଧାନକୁ ଉଲ୍ଲଙ୍ଘନ କରିଛନ୍ତି। ସ୍ୱାଧୀନତା ଆନ୍ଦୋଳନକୁ ଅପମାନିତ କରିଛନ୍ତି। ବିଧାୟକଙ୍କ ସାମ୍ବିଧାନିକ କର୍ତ୍ତବ୍ୟକୁ ଉଲ୍ଲଙ୍ଘନ କରିଛନ୍ତି। ତେଣୁ ତାଙ୍କର ସଭ୍ୟପଦ ରଦ୍ଦ କରାଯିବା ଦରକାର।

ଅପରପକ୍ଷେ ବିଧାୟକ ୟତନାଲ ତାଙ୍କ ମନ୍ତବ୍ୟ ଫେରାଇନେବା ପାଇଁ ସଫା ମନା କରିଛନ୍ତି। କିଛି ବିଜେପି ବିଧାୟକ ମଧ୍ୟ ୟତନାଲଙ୍କୁ ଦୃଢ଼ ସମର୍ଥନ କରିଛନ୍ତି। କିଛି ବିଜେପି ବିଧାୟକ କଂଗ୍ରେସ ଓ ଜେଡିଏସ୍ ଦଳକୁ ତୀବ୍ର ସମାଲୋଚନା କରି କହିଛନ୍ତି ଯେ ବିରୋଧୀ ଦଳର ବିଧାୟକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବୀର ସାଭରକରଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ପ୍ରଦାନ କରି ଚାଲିଛନ୍ତି। ବିଧାୟକ ୟତନାଲ ଡୋରେସ୍ୱାମୀଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ପ୍ରଦାନ କରି କିଛି ଭୁଲ୍ କରିନାହାନ୍ତି।