ଗୁରୁନାମରେ କଳଙ୍କ : ସ୍କୁଲ ଛାତ୍ରୀଙ୍କୁ ୪ ମାସ ଧରି ଶିକ୍ଷକଙ୍କ ଅସଦାଚରଣ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ରାଜଧାନୀର ଏକ ଘରୋଇ ଇଂରାଜୀ ମାଧ୍ୟମିକ ସ୍କୁଲର ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ହୋଇଛି। ଉକ୍ତ ସ୍କୁଲର ଗଣିତ ଶିକ୍ଷକ ସଞ୍ଜୟ ପଟ୍ଟନାୟକ ତାଙ୍କୁ ବାରମ୍ବାର ଅସଦାଚରଣ କରିଛନ୍ତି। ଏନେଇ ସମ୍ପୃକ୍ତ ନାବାଳିକା ଛାତ୍ରୀଙ୍କ ମା’ ଲିଙ୍ଗରାଜ ଥାନା ପୁଲିସ ନିକଟରେ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଶିକ୍ଷକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଅପରପକ୍ଷେ ଶିକ୍ଷକ ଶ୍ରୀ ପଟ୍ଟନାୟକଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି।

ଅଭିଯୋଗ ଅନୁସାରେ, ଲିଙ୍ଗରାଜ ଥାନା ଅନ୍ତର୍ଗତ ସାମନ୍ତରାପୁର ଅଞ୍ଚଳରେ ଏକ ଘରୋଇ ଇଂରାଜୀ ମାଧ୍ୟମିକ ସ୍କୁଲ ରହିଛି। ସେଠାରେ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ବୋତଣ୍ଡା ଗ୍ରାମର ଜଣେ ନାବାଳିକା ସପ୍ତମ ଶ୍ରେଣୀରେ ପଢୁଛନ୍ତି। ଉକ୍ତ ସ୍କୁଲର ଗଣିତ ଶିକ୍ଷକ ତାଙ୍କୁ ଦୀର୍ଘ ୪ମାସ ହେବ ବାରମ୍ବାର ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଛନ୍ତି। ଏହାସହ ସେ ସମ୍ପୃକ୍ତ ଛାତ୍ରୀଙ୍କୁ ବାରମ୍ବାର ଅସଦାଚରଣ କରିବା ସହ ଘଟଣା ସମ୍ପର୍କରେ କାହାରିକୁ ନ କହିବା ପାଇଁ ଧମକ ଦେଇଆସୁଥିଲେ। ଯେଉଁଥିପାଇଁ ଛାତ୍ରୀ ଜଣଙ୍କ ସବୁବେଳେ ଚିନ୍ତାଗ୍ରସ୍ତ ରହୁଥିଲେ।

ଏମିତିକି ତାଙ୍କ କଥାରେ ରାଜି ହୋଇଗଲେ ପୁରୀ ବୁଲେଇନେବା ସହ ଯାହା ମାଗିବୁ ତାହା ଦେବି ବୋଲି ଶିକ୍ଷକ ପ୍ରସ୍ତାବ ଦେଇଥିଲେ। ଏହି କଥାରେ ନାବାଳିକା ଜଣଙ୍କ ରାଜି ହୋଇନଥିଲେ। ଏନେଇ କିଛିଦିନ ତଳେ ସ୍କୁଲର ୧୦ମ ଶ୍ରେଣୀ ଗୃହରେ କେହି ନଥିବାବେଳେ ସେଠାକୁ ସମ୍ପୃକ୍ତ ଛାତ୍ରୀଙ୍କୁ ଗଣିତ ସାର୍ ଜୋରଜବରଦସ୍ତ ଉଠାଇ ନେଇଯାଇଥିଲେ। ଏହାପରେ ସେ ଛାତ୍ରୀଙ୍କ ସହ ଅସଦାଚରଣ କରିଥିଲେ। ଏନେଇ ଛାତ୍ରୀ ଜଣଙ୍କ ଚିଲାଇବାକୁ ସେ ଚୁପ୍ ହୋଇଯିବାକୁ କହିଥିଲେ। ଯଦି ଚୁପ୍ ନ ହଉ ତା’ହେଲେ ତତେ ମାରି ଫୋପାଡ଼ି ଦେବି ବୋଲି ଗଣିତ ଶିକ୍ଷକ ସମ୍ପୃକ୍ତ ଛାତ୍ରୀଙ୍କୁ ଧମକ ଦେଇଥିଲେ। ଏହାଶୁଣି ଛାତ୍ରୀ ଜଣଙ୍କ ଚୁପ୍ ହୋଇଯାଇଥିଲେ। ଏହାପରେ ଶିକ୍ଷକ ତାଙ୍କ ସହ ଅସଦାଚରଣ କରିଥିଲେ।

ମଙ୍ଗଳବାର ଛାତ୍ରୀ ଜଣଙ୍କ ସ୍କୁଲ ନଯାଇ ତାଙ୍କ ଘରେ ବସି କାନ୍ଦୁଥିଲେ। ଏହି ସମୟରେ ତାଙ୍କ ମା’ କ’ଣ ଅସୁବିଧା ହୋଇଛି ବୋଲି ଛାତ୍ରୀଙ୍କୁ ପଚାରିଥିଲେ। ଏହାପରେ ଛାତ୍ରୀଜଣଙ୍କ ତାଙ୍କ ସହ ଦୀର୍ଘ ୪ମାସ କାଳ ଘଟିଥିବା ଘଟଣା ବାବଦରେ ତାଙ୍କ ମା’ଙ୍କୁ କହିଥିଲେ। ଏହାପରେ ତାଙ୍କ ମା’ ସ୍କୁଲର ପ୍ରିନ୍ସିପାଲଙ୍କୁ ଏ ବାବଦରେ ଜଣାଇବାକୁ ଯାଇଥିଲେ। ଏହି କଥା ଶୁଣି ପ୍ରିନ୍ସିପାଲ ଘଟଣା ସମ୍ପର୍କରେ କାହାରିକୁ ନ କହିବା ପାଇଁ ଅନୁରୋଧ କରିଥିଲେ। ଏମିତିକି ସର୍ବସାଧାରଣରେ ଯଦି ଘଟଣା ପ୍ରଘଟ ହୁଏ ତା’ହେଲେ ସ୍କୁଲ ବଦ୍ନାମ ହୋଇଯିବ। ଏଥିପାଇଁ ପ୍ରିନ୍ସିପାଲ ୧୦ହଜାର ଟଙ୍କା ନେଇ ଘଟଣାକୁ ରଫାଦଫା କରିବାକୁ ଛାତ୍ରୀଙ୍କ ମା’ଙ୍କୁ କହିଥିଲେ। ଏହାଶୁଣି ଛାତ୍ରୀଙ୍କ ମା’ ସେଠାରୁ ପଳାଇ ଆସି ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ।