ଓମାନ, ସାଉଦି ଆରବ ଗସ୍ତରେ ବ୍ରିଟେନ ବୈଦେଶିକ ମନ୍ତ୍ରୀ

ଲଣ୍ଡନ,ଏଜେନ୍ସି : ୟୁରୋପୀୟ ସଂଘରୁ ବାଦ୍ ପଡ଼ିବା ପରେ ପ୍ରଥମ ଥର ପାଇଁ ବ୍ରିଟେନ୍ ଜଳବାୟୁ ପରିବର୍ତ୍ତନ, ବାଣିଜ୍ୟ ବେପାର ଓ ମାନବାଧିକାର ଉଲ୍ଲଙ୍ଘନ ପ୍ରସଙ୍ଗରେ ଉପସାଗରୀୟ ଦେଶ ସାଉଦି ଆରବ ଓ ଓମାନ ଆଡକୁ ଆଖି ପକାଇଛି। ସୋମବାର ବ୍ରିଟେନ୍ ବିଦେଶ ମନ୍ତ୍ରୀ ଡୋମିନିକ୍ ରାବ ଓମାନ ଓ ସାଉଦି ଆରବ ଗସ୍ତରେ ଯାଇଛନ୍ତି। ଉଭୟ ଦେଶ ସହ ବାଣିଜ୍ୟ କଥାବାର୍ତ୍ତା କରିବା ପରେ ବ୍ରିଟେନ୍ ମନ୍ତ୍ରୀ ରାବ ୟେମେନି ନେତାମାନଙ୍କ ସହିତ ସେଠାରେ ଚାଲିଥିବା ୫ ବର୍ଷ ବ୍ୟାପି ଗୃହଯୁଦ୍ଧ ସମ୍ପର୍କରେ ଆଲୋଚନା କରିବେ। ଜାନୁଆରୀରେ ୟୁରୋପୀୟ ସଂଘଠାରୁ ଅଲଗା ହେବାପରେ ବ୍ରିଟେନ ଆର୍ଥିକ ବିକାଶ ପ୍ରତି ଗୁରୁତ୍ୱାରୋପ କରୁଛି।

ବ୍ରେକଜିଟ୍ ପୂର୍ବରୁ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଯୁକ୍ତରାଷ୍ଟ୍ର ଆମେରିକା ସହ ବାଣିଜ୍ୟ ସମ୍ପର୍କ ରଖିବାକୁ ଆଗ୍ରହ ପ୍ରକାଶ କରିଥିଲେ। କିନ୍ତୁ ଆମେରିକା ଆଡ଼କୁ ମୁହାଁଇବା ପୂର୍ବରୁ ଉପସାଗରୀୟ ଅଞ୍ଚଳରେ ପ୍ରାଧାନ୍ୟ ବିସ୍ତାରକୁ ବ୍ରିଟେନ ପ୍ରାଥମିକତା ପ୍ରଦାନ କରିଛି। ରାବ ପ୍ରଥମେ ଓମାନ ଗସ୍ତ କରି ସୁଲତାନ ହୈଥାମ ବିନ୍ ତାରିକ ଓ ବିଦେଶ ମନ୍ତ୍ରୀ ୟୁସୁଫ ବିନ୍ ଆଲୱି ବିନ୍ ଅବଦୁଲ୍ଲାଙ୍କ ସହ ଆଲୋଚନା କରିବେ। ପରେ ସେ ସାଉଦି ନେତାମାନଙ୍କ ସହ ବାଣିଜ୍ୟ ସମ୍ପର୍କିତ ଆଲୋଚନା କରିବେ।

ଜି-୨୦ରେ ସାଉଦି ଆରବର ଅଧ୍ୟକ୍ଷତା ଓ ସିଓପି୨୬ ଜଳବାୟୁ ସମ୍ମିଳନୀରେ ବ୍ରିଟେନ୍ର ଅଧ୍ୟକ୍ଷତା ସମ୍ପର୍କରେ ଆଲୋଚନା କରିବେ। ରିୟାଦରେ ୟେମେନ ରାଷ୍ଟ୍ରପତି ଅବ୍ଦ-ରାବବୁ ମନସୁର ହାଡ଼ିଙ୍କୁ ଭେଟି ରାଜନୈତିକ ସଂକଟ ଉପରେ ଆଲୋଚନା କରିବେ। ୟେମେନ ସରକାର ଓ ହାଉତି ବିଦ୍ରୋହୀଙ୍କ ମଧ୍ୟରେ ଦୀର୍ଘ ୫ ବର୍ଷ ଧରି ଚାଲିଥିବା ଗୃହଯୁଦ୍ଧର ପରିସମାପ୍ତି ଘଟାଇ ଆନ୍ତର୍ଜାତିକ ସ୍ତରରେ କୂଟନୈତିକ ପ୍ରଭାବ ବିସ୍ତାର କରିବା ବ୍ରିଟେନର ଆଉ ଏକ ଉଦ୍ୟମ।