ବଲାଙ୍ଗୀରରେ ଲଜ୍ଜା : ସହର ଭିତରେ ଖଟରେ ବୁହାହେଲେ ରୋଗୀ

ବଲାଙ୍ଗୀର,ଏନ୍ଏନ୍ଏସ୍ : ଗାଁକୁ ରାସ୍ତା ନଥିବାରୁ ରୋଗୀଙ୍କୁ ଖଟିଆରେ ବୁହାହୋଇ ଡାକ୍ତରଖାନା ନିଆଗଲା । ଏଭଳି ଘଟଣା ଘଟିଥାଏ ବିଶେଷ କରି ଆଦିବାସୀ ଅଧ୍ୟ୍ୟୁଷିତ ଉପାନ୍ତ ଅଂଚଳମାନଙ୍କରେ । କିନ୍ତୁ ସହର ଭିତରେ ମଧ୍ୟ ଏଭଳି ଘଟଣା ଘଟୁଛି କହିଲେ ଲୋକେ ବିଶ୍ୱାସ କରିବେ ନାହିଁ । ହେଲେ ଏଭଳି ଏକ ଅଭାବନୀୟ ଘଟଣା ବଲାଙ୍ଗୀର ସହରରେ ଘଟିଛି । ସହର ଭିତରେ ଥିବା ଏକ ସାହିକୁ ରାସ୍ତା ନଥିବାରୁ ମୁଖ୍ୟରାସ୍ତା ପର୍ଯ୍ୟନ୍ତ ଜଣେ ରୋଗୀଙ୍କୁ ଖଟିଆରେ ବୋହିକି ଆଣିବାକୁ ପଡିଛି । ଏହାକୁ ବଲାଙ୍ଗୀରର ଲଜ୍ଜା ବୋଲି ଲୋକେ କହୁଛନ୍ତି ।

ସୂଚନା ଅନୁଯାୟୀ , ବଲାଙ୍ଗୀର ସହର ରାମେଶ୍ୱର ନଗରରେ ରୁହନ୍ତି ନରୋତମ ମିଶ୍ର । ତାଙ୍କ ମା’ ସୁନାପୁଲ ମିଶ୍ର କିଡନୀ ରୋଗରେ ପିଡିତ ଅଟନ୍ତି । ତେବେ ସେ ଘରେ ହଠାତ ଅସୁସ୍ଥ ହୋଇ ପଡିଲେ । ତାଙ୍କୁ ଡାକ୍ତରଖାନାକୁ ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ କରାଗଲା । ଆମ୍ଭୁଲାନ୍ସ ଆସିଲା ମଧ୍ୟ । କିନ୍ତୁ ରାସ୍ତାର ଅବସ୍ଥା ଅତି ଶୋଚନୀୟ ଥିବାରୁ ଆମ୍ଭୁଲାନ୍ସ ନରୋତମଙ୍କ ଘର ପର୍ଯ୍ୟନ୍ତ ଯାଇ ପାରିଲା ନାହିଁ । ଫଳରେ ପରିବାର ଲୋକେ ସୁନାପୁଲଙ୍କୁ ଏକ ଖଟିଆରେ ବୋହି ଘର ଠାରୁ ୩୦୦ ରୁ ୪୦୦ ମିଟର ଦୁର ହେବ ପର୍ଯ୍ୟନ୍ତ ହାଟପଦା ପଡାରେ ଥିବା ପାର୍କ ପର୍ଯ୍ୟନ୍ତ ଆଣିଥିଲ ।

ସେଠାରୁ ଆମ୍ବୁଲାନ୍ସରେ ତାଙ୍କୁ ଭୀମଭୋଇ ମେଡିକାଲ ଡାକ୍ତରଖାନାକୁ ନିଆଯାଇଥିଲା । ବଲାଙ୍ଗୀରରେ ବିକାଶ ଚାଲିଛି ବୋଲି ନେତାମାନେ ବାହାସ୍ପୋଟ ମାରୁଛନ୍ତି। ଅଥଚ ସହର ଭିତରେ ଆମ୍ବୁଲାନ୍ସ ଯାତାୟତ କରି ପାରୁନାହିଁ । ଦୀର୍ଘବର୍ଷ ହେଲା ଲୋକେ ଏହି ଅଂଚଳରେ ଏକ ରାସ୍ତା ନିର୍ମାଣ ପାଇଁ ଦାବି କରୁଥିଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ ହୋଇ ପାରି ନାହିଁ । ଏହାକୁ ନେଇ ଅଂଚଳରେ ଅସନ୍ତୋଷ ତେଜିବାରେ ଲାଗିଛି ।