୧୧ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ପଡିରହିଲା ଶବ, ରୋଗ ଭଲ ପାଇଁ ଖ୍ରୀଷ୍ଟ ଧର୍ମାଲମ୍ବୀ ଘରକୁ ଯାଉଥିଲେ ବୋଲି ଜାତି ବନ୍ଧୁ ସତ୍କାର କରିବାକୁ ଗଲେନି

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ସାହରପଡା ବ୍ଲକ୍ ଦାମାହୁଦା ପଞ୍ଚାୟତ ବେଲସରେଇ ଗ୍ରାମରେ ରବିବାର ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗ୍ରାମର ଗାମିଆଁ ମୁଣ୍ଡାଙ୍କ ପୁଅ ସାଧୁ ମୁଣ୍ଡା (୪୫)ଙ୍କ ମୃତ୍ୟୁ ପରେ ନିଜ ଜାତି ବନ୍ଧୁ ଶବକୁ ସତ୍କାର କରିବା ପାଇଁ କେହି ନ ଆସିବାରୁ ୧୧ ଘଣ୍ଟା ପର୍ଯ୍ୟନ୍ତ ଶବ ପଡିରହିଥିଲା। ସୂଚନା ଅନୁସାରେ ମୃତ ସାଧୁ ମୁଣ୍ଡା ଯକ୍ଷ୍ମା ରୋଗର ପିଡିତ ହୋଇ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ। ଚାରିଆଡେ ବୁଲି ଡାକ୍ତର ଦେଖାଇ ଥିଲେ ମଧ୍ୟ ରୋଗ ଭଲ ହୋଇନଥିଲା। ପରେ ରୋଗକୁ ନେଇ ସାଧୁ ନାନା ଦୁଶ୍ଚିନ୍ତାରେ ଗତି କରୁଥିବା ବେଳେ ରୋଗ କାଳେ ଭଲ ହେବ ବୋଲି ଉକ୍ତ ଗ୍ରାମର ଖ୍ରୀଷ୍ଟ ଧର୍ମାଲମ୍ବୀ ପରିବାର ନିକଟକୁ ଯାଉ ଯୀଶୁଖ୍ରୀଷ୍ଟଙ୍କୁ ପୂଜା କରୁଥିଲେ।

ଶନିବାର ରାତି ପ୍ରାୟ ୧୦ ଟା ସମୟରେ ସାଧୁର ମୃତ୍ୟୁ ପରେ ଖ୍ରୀଷ୍ଟ ଧର୍ମାଲମ୍ବୀ ଘରକୁ ଯାଉଥିବାରୁ ନିଜ ଜାତି ବନ୍ଧୁ ଶବ ପାଖକୁ ଯାଇ ନଥିଲେ କି ଶବକୁ ଛୁଇଁ ନଥିଲେ। ଶେଷରେ ଦାମାହୁଦା ସରପଞ୍ଚ ଶିବାନୀ ଚାମ୍ପିଆର ହସ୍ତକ୍ଷେପ ପରେ ଶବ ସତ୍କାର କରାଯାଇଥିଲା।