ସଙ୍କଟରେ ଲେମନଗ୍ରାସ୍ ଚାଷୀ

କୋରାପୁଟ,ଏନ୍ଏନ୍ଏସ୍ : କୋରାପୁଟ ଜିଲ୍ଲାର ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକବାସୀଙ୍କ ଆର୍ଥିକ ମାନଦଣ୍ଡର ବିକାଶରେ ଲେମନଗ୍ରାସ୍ ଚାଷୀଙ୍କ ଭୂମିକା ଗୁରତ୍ୱପୂର୍ଣ୍ଣ। କିନ୍ତୁ ସରକାରୀ ପ୍ରୋତ୍ସାହନର ଅଭାବ ହେତୁ ବର୍ତ୍ତମାନ ଦୁଇଟି ବ୍ଲକ୍ର ଅର୍ଥନୈତିକ ମେରୁଦଣ୍ଡ ସାଜିଥିବା ଲେମନ୍ଗ୍ରାସ ଚାଷ ଉପରୁ ମୁହଁ ଫେରେଇବାକୁ ଲାଗିଲେଣି ହଜାର ହଜାର ଚାଷୀ। ସରକାରୀ ମଣ୍ଡି ନଥିବା ଯୋଗୁଁ ଚାଷୀଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁପଡ଼ୁଛି।

ଜିଲ୍ଲାରେ ୪ ହଜାରରୁ ଊଦ୍ଧ୍ୱର୍ ଲେମନଗ୍ରାସ୍ ଚାଷୀ ରହିଥିବାବେଳେ କେବଳ ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକରେ ପ୍ରାୟ ୨୫୬୫ ହେକ୍ଟର ଜମିରେ ଆଦିବାସୀମାନେ ଲେମନଗ୍ରାସ ଚାଷ କରି ନିଜେ ଆର୍ଥିକ ମାନଦଣ୍ଡରେ ସ୍ୱାବଲମ୍ବୀ ହେବାସହ ଗୁଜୁରାଣ ମେଣ୍ଟାଇ ଥାଆନ୍ତି। ନାରାୟଣପାଟଣା ଓ ବନ୍ଧୁଗାଁରେ ପ୍ରଚୁର ପରିମାଣର ଲେମନଗ୍ରାସ୍ ଚାଷ କରାଯାଉଥିବାରୁ ଦୁଇଟି ବ୍ଲକ୍ରେ ପ।।ଖାପାଖି ୪୦ ଟି ବ୍ରଏଲର ଏକ୍ସଟ୍ରାଟ ପ୍ଲାଣ୍ଟ ରହିଛି। ପ୍ରତିବର୍ଷ ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକରୁ ପ୍ରାୟ ୨୦୦୦ ଟନ୍ ଲେମନଗ୍ରାସ ତେଲ ଉତ୍ପାଦିତ ହୋଇଥାଏ। ଲେମନଗ୍ରାସ୍ ତେଲ ସାବୁନ୍, ଔଷଧ, ପରଫ୍ୟୁମ୍ ଉତ୍ପାଦନରେ ଲାଗୁଥିବାରୁ ଏହାର ଚାହିଦା ଦେଶ ବିଦେଶରେ ବେଶ୍ ଅଧିକ ରହିଛି।

ଏକ ଆକଳନରୁ ଜଣାପଡ଼ିଛି ଯେ ଦୁଇଟି ବ୍ଲକରେ ବର୍ଷକୁ ପାଖାପାଖି ୨୫ କୋଟି ଟଙ୍କାର ଲେମନଗ୍ରାସ୍ ତେଲ ବିଭିନ୍ନ ରାଜ୍ୟକୁ ରପ୍ତାନି କରାଯାଉଛି। ତେବେ ପୂର୍ବ ବର୍ଷଗୁଡ଼ିକରେ ଲେମନଗ୍ରାସ ତେଲ କିଲୋପ୍ରତି ୧୪୫୦ ଟଙ୍କାରୁ ଊଦ୍ଧ୍ୱର୍ ରହୁଥିବା ବେଳେ ଚଳିତ ବର୍ଷ ଏହା କିଲୋପ୍ରତି ୬୦୦ ରୁ ୭୦୦ ଟଙ୍କାକୁ ଖସି ଆସିଛି। ଏତେ କମ୍ ଦରରେ ବିକ୍ରି ପାଇଁ ଚାଷୀ ଆଗ୍ରହୀ ନଥିଲେ ମଧ୍ୟ ବିକ୍ରି ନିମନ୍ତେ ସରକାରୀ ସୁବିଧା ବା ମଣ୍ଡି ନଥିବାରୁ ବାଧ୍ୟ ହୋଇ ଶାଗ ମାଛ ଦରରେ ବିକ୍ରି କରୁଛନ୍ତି। ଯାହାର ସୁବିଧା ନେଇ ରାଜ୍ୟ ବାହାରର ଦଲାଲମାନେ ଏଠାରୁ ସ୍ୱଳ୍ପ ଦରରେ କିଣି ବାହାରେ ଚଢ଼ା ଦରରେ ବିକ୍ରି କରୁଛନ୍ତି। ଫଳରେ ନିଜ ପରିଶ୍ରମର ସଠିକ୍ ମୂଲ୍ୟ ନପାଇ ନିରାଶ ହୋଇ ବସି ରହିଛନ୍ତି ହଜାର ହଜାର ଲେମନଗ୍ରାସ ଚାଷୀ। ମୁଖ୍ୟତଃ ଦୁଇ ବ୍ଲକର ଜଳବାୟୁ ଲେମନଗ୍ରାସ୍ ଚାଷ ପାଇଁ ଉପଯୁକ୍ତ ଥିବାରୁ ବିଗତ କିଛି ବର୍ଷ ହେବ ଏଠାକାର ଚାଷୀ ଧାନ, ମକା, ବିରି, କୋଳଥ, କପା, କାନ୍ଧୁଲ, ଭଳି ପାରମ୍ପରିକ ଫସଲ ନକରି ଲେମନଗ୍ରାସ୍ ଚାଷ କରିବା ପାଇଁ ଆଗ୍ରହୀ ରହିଛନ୍ତି।

ଲେମନଗ୍ରାସ୍ ଏକ ଅତ୍ୟନ୍ତ ଲାଭ ଦାୟକ ଫସଲ ହୋଇଥିବାରୁ ଚାଷୀ ନିଜ ଜମିରେ ବୋର୍ୱେଲ୍ ଖୋଳି ଚାଷ ଆରମ୍ଭ କରିଥିବାବେଳେ ଆଉ କିଛି ବ୍ୟକ୍ତି ଖାଲି ପଡ଼ିଥିବା ସରକାରୀ ଜମିରେ ଚାଷ କରୁଥିବା ଦେଖିବାକୁ ମିଳୁଛି। ଏପରିକି କେତେକ ଜମିହୀନ ବ୍ୟକ୍ତି ଅନ୍ୟର ଜମିରେ ଭାଗଚାଷୀ ଭାବେ ଲେମନଗ୍ରାସ୍ ଚାଷ କରି ବେଶ୍ ଲାଭବାନ୍ ହେଉଥିଲେ। କିନ୍ତୁ ଚଳିତବର୍ଷ ଉତ୍ପାଦନ ହ୍ରାସ ଓ ବଜାର ସୁବିଧାର ଅଭାବ ଏବଂ ସରକାରୀ ମଣ୍ଡି ନଥିବା ଯୋଗୁଁ ଚାଷୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି।