ବିଭିନ୍ନ ସ୍ଥାନରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଅମିତ ଶାହାଙ୍କ କୁଶପୁତ୍ତଳିକା ଦାହ, ଇସ୍ତଫା ଦାବି

ଝାରସୁଗୁଡା,ଦେବଗଡ଼,ଏନ୍ଏନ୍ଏସ୍: ଆଜି ସିଏଏକୁ ନେଇ ଭୁବନେଶ୍ୱରରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବୈଠକ ଓ ରୋଡ ଶୋ ଅନୁଷ୍ଠିତ ହେଉଥିବା ବେଳେ ରାଜ୍ୟର ଅନେକ ଜିଲ୍ଲାରେ ଉତ୍ତେଜନା ଦେଖା ଦେଇଛି। ଦିଲ୍ଲୀରେ ସିଏଏକୁ ନେଇ ହୋଇଥିବା ଗଣ୍ଡଗୋଳରେ ଅନେକ ଲୋକ ପ୍ରାଣ ହରାଇଥିବା ବେଳେ ଏ ନେଇ କଂଗ୍ରେସ ପକ୍ଷରୁ ଅମିତ ଶାହାଙ୍କୁ ଦାୟୀ କରାଯାଇଛି। ଏଥିସହ ଗୃହମନ୍ତ୍ରୀ ପଦରୁ ଇସ୍ତଫା ପାଇଁ କଂଗ୍ରେସ ଦାବି କରିଛି। ଏହି ପରିପ୍ରେକ୍ଷୀରେ ଝାରସୁଗୁଡା ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କେନ୍ଦ୍ରୀୟ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।

 

ଦିଲ୍ଲୀର ଗୋଷ୍ଠୀ ସଙ୍ଘର୍ଷକୁ ରୋକିବାରେ ଅମିତ ଶାହାଙ୍କ ବିଫଳ ହୋଇଥିବାରୁ କଂଗ୍ରେସ ପକ୍ଷରୁ ତାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଏହାସହ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଭାରତ ଏକ ଅହିଂସା ଏବଂ ଶାନ୍ତି ପ୍ରିୟ ଦେଶ, ଏଠାରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ। ହେଲେ ବିଜେପି ସରକାର ସିଏଏ ପରି ବିବାଦୀୟ ଓ ସମ୍ବିଧାନ ଉଲଂଘନକାରୀ ନିୟମ ଲାଗୁ କରି ଦେଶରେ ଅଶାନ୍ତି ସୃଷ୍ଟି କରିଛନ୍ତି। ସିଏଏ ଲାଗୁ କରି ନଥିଲେ ଦେଶର ରାଜଧାନୀ ଦିଲ୍ଲୀରେ ହିଂସା ହୋଇ ନଥାନ୍ତା। ସିଏଏ ପାଇଁ ଏହି ହିଂସା ହୋଇଛି ଓ ଏଥିରେ ୩୭ ଲୋକ ପ୍ରାଣହରାଇ ସାରିଥିବା ବେଳେ ୨୫୦ରୁ ଊଦ୍ଧ୍ୱର୍ ଲୋକେ ଆହତ ହୋଇଛନ୍ତି। ଏହି ଦଙ୍ଗା ପାଇଁ କେବଳ କେନ୍ଦ୍ର ସରକାର ଦାୟୀ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବି ହୋଇଛି। ଏନେଇ ତୁରନ୍ତ ଗୃହମନ୍ତ୍ରୀ ଅମିତ ଶାହା ପଦରୁ ଇସ୍ତଫା ଦେବା ପାଇଁ ଦାବି କରିଛନ୍ତି।

ସେହିପରି ଭାବେ ଦେବଗଡ ଜିଲ୍ଲା କଂଗ୍ରେସ ପକ୍ଷରୁ ଅମିତ ଶାହାଙ୍କ ଇସ୍ତଫା ଦାବି କରିବା ସହ କୁଶପୁତ୍ତଳିକା ଦାହ କରାଯାଇଛି। ଆଜି ପୂର୍ବାହ୍ଣରେ ଦେବଗଡ଼ ଜିଲ୍ଲା କଂଗ୍ରେସ ସଭାପତି ଉମା ଶଙ୍କର ସାହୁଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ଦିଲ୍ଲୀରେ ସଂଗଠିତ ଦଙ୍ଗା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଦାୟି କରି କେନ୍ଦ୍ର ସରକାର ଓ ଅମିତ ଶାହାଙ୍କ ବିରୋଧରେ ସ୍ଲୋଗାନ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଦେବଗଡ଼ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସିଦେ୍ଧଶ୍ୱର ଗୁରୁ, ମହିଳା କଂଗ୍ରେସ ସଭାନେତ୍ରୀ ମୁଲତା ନାୟକ, ଜିଲ୍ଲା ଉପସଭାପତି ପ୍ରକାଶ ଚନ୍ଦ୍ର ଦେବତା, ନଗର ସଭାପତି ଅନୁଜ କୁମାର ପ୍ରଧାନ, ଛାତ୍ର କଂଗ୍ରେସ ନେତା ଜିତୁ ସାହୁ, ବରିଷ୍ଠ କଂଗ୍ରେସ ନେତା ସମେତ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।