ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀ ଦଙ୍ଗା ଘଟଣାରେ କଂଗ୍ରେସ ଉଭୟ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ଓ ଦିଲ୍ଲୀରେ କ୍ଷମତାରେ ଥିବା ଆମ୍ ଆଦ୍ମୀ ପାର୍ଟି (ଆପ୍)କୁ ଦାୟୀ କଲାବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି, ଏହି ଦଙ୍ଗା ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ଆଦୌ ବରଦାସ୍ତ କରାଯିବ ନାହିଁ। ଯେକୌଣସି ଦଳର ହେଲେ ମଧ୍ୟ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେଜରିୱାଲ ଗୁରୁବାର ଏକ ସାମ୍ବାଦିକ ସମ୍ମିଳୀରେ ଦୃଢ଼ତାର ସହ କହିଛନ୍ତି।
ସେ କହିଛନ୍ତି, ଦୋଷୀ ଆମ୍ ଆଦ୍ମୀ ପାର୍ଟିର ହୋଇଥିଲେ ତା’ ବିରୋଧରେ ଡବଲ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜାତୀୟ ସୁରକ୍ଷା ସମ୍ପର୍କିତ ଏଭଳି ଏକ ପ୍ରସଙ୍ଗର ରାଜନୀତିକରଣ ଯଥାର୍ଥ ନୁହେଁ। ଗତ ୪ ଦିନ ଧରି ଉତ୍ତର-ପୂର୍ବ ଦିଲ୍ଲୀର ଯେଉଁସବୁ ଅଞ୍ଚଳରେ ପୋଡ଼ାଜଳା ହୋଇଛି ଏବଂ ଦୋକାନବଜାର ଭଙ୍ଗାରୁଜା କରାଯାଇଛି ସେହି ଅଞ୍ଚଳବାସୀଙ୍କୁ ଖାଦ୍ୟସାମଗ୍ରୀ ଯୋଗାଇ ଦିଆଯିବ। ହିଂସାକାଣ୍ଡରେ ଆହତ ଲୋକଙ୍କୁ ହସ୍ପିଟାଲ୍ରେ ମାଗଣାରେ ଚିକିତ୍ସା କରାଯିବ। ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲୋକଙ୍କ ଖର୍ଚ୍ଚ ସରକାର ବହନ କରିବେ। କେଜରିୱାଲ ଆହୁରି କହିଛନ୍ତି, ଦଙ୍ଗାଗ୍ରସ୍ତ ଅଞ୍ଚଳର ଜନସାଧାରଣଙ୍କୁ ସେମାନଙ୍କର ଦାବି ଜଣାଇବା ନିମନ୍ତେ ସରକାରଙ୍କ ପକ୍ଷରୁ ଏକ ଆପ୍ ବିକଶିତ ହୋଇଛି। ଏହି ଆପ୍ ଜରିଆରେ ଲୋକେ ସେମାନଙ୍କ ଅଭାବ ଅସୁବିଧା ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିପାରିବେ।