୨ ଦାଦନ ଶ୍ରମିକ ମୃତ

ନୂଆପଡ଼ା,ଏନ୍ଏନ୍ଏସ୍: ନୂଆପଡ଼ା ଜିଲ୍ଲାରେ ପୁଣି ଦାଦନ ଦୁଃଖର କରୁଣ ଚିତ୍ର ଦେଖିବାକୁ ମିଳିଛି। ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ସପ୍ତାହକ ମଧ୍ୟରେ ୨ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଗନିଆରୀ ଗାଁର ବିଳାଶିନୀ ବାଗ୍ ଓ ସିନାପାଲି ବ୍ଲକ ଅନ୍ତର୍ଗତ ମାଲପଡ଼ା ଗାଁର ଜିତେନ୍ଦ୍ର ମାଝୀ। ତେବେ ଜିତେନ୍ଦ୍ରଙ୍କ ମୃତଦେହ ଗାଁକୁ ଆସିଥିବା ବେଳେ ଅର୍ଥାଭାବରୁ ବିଳାଶିନୀଙ୍କ ମୃତଦେହକୁ ଗାଁକୁ ଆସି ପାରିନାହିଁ।

ଏଥିସହ ବିଳାଶିନୀଙ୍କ ପରିବାରର ୫ ଜଣ ଇଟାଭାଟି ମାଲିକ ପାଖରେ ବନ୍ଧକ ଅଛନ୍ତି। ୬ ମାସ ତଳେ ବିଳାଶିନୀ, ତାଙ୍କ ବର୍ଷକର ପୁଅ, ବାପା, ମାଆ, ଭଉଣୀ ଓ ଭିଣୋଇ ଇଟା ଭାଟିରେ କାମ କରିବାକୁ ସିକନ୍ଦରାବାଦ ଯାଇଥିଲେ। ହେଲେ କିଛି ଦିନ କାମ କଲା ପରେ ବିଳାଶିନୀ ଅସୁସ୍ଥ ହୋଇପଡ଼ିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଫେବୁଆରୀ ୧୪ ତାରିଖରେ ତାଙ୍କ ମୃତ୍ୟୁ ଘଟିଥିଲା। ହେଲେ ଅର୍ଥାଭାବରୁ ତାଙ୍କ ମୃତଦେହ ଗାଁକୁ ଆସିପାରିନାହିଁ। ତେବେ ବିଳାଶିନୀ ବାଗଙ୍କ ବାପା-ମାଆ, ଭଉଣୀ-ଭିଣୋଇ ଏବଂ ତାଙ୍କ ବର୍ଷକର ପୁଅକୁ ଇଟା ଭାଟି ମାଲିକ ବନ୍ଧକ ରଖିଛି।

ଆଗୁଆ ନେଇଥିବା ଟଙ୍କା ଫେରସ୍ତ ନକଲେ ସେମାନଙ୍କୁ ଛଡ଼ାଯିବ ନାହିଁ ବୋଲି ଇଟାଭାଟି ମାଲିକ ଧମକ ଦେଇଛନ୍ତି। ଏନେଇ ବିଳାଶିନୀଙ୍କୁ ଉଦ୍ଧାର କରାଯିବ ବୋଲି ଜିଲ୍ଲା ଶ୍ରମ ବିଭାଗ କହିଛି। ସେହିପରି ଅନ୍ୟ ଜଣେ ଶ୍ରମିକ ଜିତେନ୍ଦ୍ର ମାଝୀ ଗୁଜୁରାଟରେ କାମ କଲାବେଳେ ମେସିନରେ ଦୁଇ ହାତ କଟି ଯିବାରୁ ଫେବୁଆରୀ ୧୬ ତାରିଖରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।