କପି ଯୋଗାଇବା ପାଇଁ ଛାତଛାତ୍ରୀଙ୍କ ଠାରୁ ଶିକ୍ଷକଙ୍କ ଟଙ୍କା ଆଦାୟ

ବଲାଙ୍ଗୀର,ଏନଏନଏସ: ରାଜ୍ୟ ସରକାର ମାଟ୍ରିକ ପରୀକ୍ଷାରେ କପି ରୋକିବା ପାଇଁ ନାନା ପ୍ରକାର ପଦକ୍ଷେପ ନେଉଛନ୍ତି । କିନ୍ତୁ ଅନେକ ସେଣ୍ଟରରେ କପି ରୋକା ଯାଇ ପାରିନାହିଁ । ତେବେ ଏହି କପି ସମ୍ପର୍କିତ ଏକ ଭିଡିଓ ବଲାଙ୍ଗୀରରେ ଭାଇରାଲ ହେବା ପରେ ଚାଂଚଲ୍ୟ ଖେଳାଇଯାଇଛି । ପରୀକ୍ଷାରେ ପାସ କରାଇଦେବା ପାଇଁ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ନେଇ ଏକ ଭିଡିଓ ଭାଇରାଲ ହୋଇଛି । ଭାଇରାଲ ଭିଡିଓରେ ଜଣେ ଛାତ୍ର ପରୀକ୍ଷାରେ ପାସ କରାଇଦେବା ପାଇଁ ଶିକ୍ଷକମାନେ ଜଣଙ୍କ ପିଛା ୫୦୦ ଟଙ୍କା ମାଗୁଥିବା ସ୍ୱର ମଧ୍ୟ ରହିଛି । ଛାତ୍ର ଜଣଙ୍କ କିନ୍ତୁ ଟଙ୍କା ଦେବାକୁ ତାଙ୍କର ଅସହାୟତା ପ୍ରକାଶ କରୁଛନ୍ତି ।

ଆମେ ଗରୀବ ଲୋକ ଯାହା ପାଠ ଶିକ୍ଷମାନେ ପଢାଇଛନ୍ତି , ତାହା ପରୀକ୍ଷାରେ ଆମେ ଲେଖିବୁ । ପରୀକ୍ଷା ପାସ କରିବା ପାଇଁ ଟଙ୍କା ଦେବାକୁ ଆମେ ଅସମର୍ଥ । ଟଙ୍କା ନିଆଯାଉଥିବାର ଭିଡିଓ ଆମେ ରେକର୍ଡିଂ କରିବୁ । ତାହା ଦୟାକରି ଆପଣମାନେ ମୁରିବାହାଲ ବିଇଓଙ୍କୁ ପଠାଇବେ ବୋଲି ଛାତ୍ର ଜଣଙ୍କ ଅନୁରୋଧ କରିଛନ୍ତି । ତେବେ ଭିଡିଓରେ ଛାତ୍ରଙ୍କ ସ୍ୱର ରହିଥିବା ବେଳେ ଶିକ୍ଷକମାନେ କିନ୍ତୁ ଟଙ୍କା ନେଉଥିବାର ଦୃଶ୍ୟ ରହିଛି । ସୂଚନା ଅନୁଯାୟୀ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଳକ ଗାଁରେଇ ଗାଁରେ ଥିବା ଡ.ଆମ୍ବେଦକର ସ୍କୁଲର ୭୮ ଜଣ ପରୀକ୍ଷାର୍ଥିଙ୍କ ମାଟ୍ରିକ ପରୀକ୍ଷା ସେଣ୍ଟର ସେହି ବ୍ଲକର ଲେବଡା ପାଟଣେଶ୍ୱରୀ ପଂଚାୟତ ହାଇସ୍କୁଲରେ ହୋଇଛି ।

ତେବେ ଏହି ୭୮ ଜଣ ପରୀକ୍ଷାର୍ଥିଙ୍କ ଠାରୁ ୫୦୦ ଟଙ୍କା ଲେଖାଏ ବିଦ୍ୟାଳୟର ଶିକ୍ଷକମାନେ ଆଦାୟ କରୁଥିବା ଅଭିଯୋଗ ହେଉଛି । ଏଡି ଘଟଣାର ଭିଡିଓ ଭାଇରାଲ ହେବା ପରେ କିଛି ଗଣମାଧ୍ୟମର ପ୍ରତିନିଧି ସମ୍ପୃକ୍ତ ବିଦ୍ୟାଳୟରେ ପହଂଚିଥିଲେ । ତେବେ କପି ପାଇଁ ଟଙ୍କା ଦେଇଥିବା କେତେକ ଅଭିଭାବକ ଗଣମାଧ୍ୟମର ପ୍ରତିନିଧିଙ୍କ ଉପରେ ବର୍ଷିଥିଲେ । ପରୀକ୍ଷାରେ ଆମ ପିଲାଙ୍କୁ ପାସ କରିବା ପାଇଁ ଟଙ୍କା ଦେଇଛୁ , ପଚାରିବାକୁ ତମେ କିଏ ବୋଲି ଅଭିଭାବକମାନେ ପ୍ରଶ୍ନ କରିଥିଲେ । ଏହା ସହିତ ପରୀକ୍ଷା ଦେଉଥିବା ପିଲାମାନଙ୍କୁ ଏ ସମ୍ପର୍କରେ ପଚାରିବା ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ସେମାନଙ୍କ ଅଭିଭାବକମାନେ ତାହା କରାଇ ଦେଇନଥିଲେ । ତେବେ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଧରମୁ ବାଗ ପିଲାମାନଙ୍କ ଠାରୁ ଅର୍ଥ ଆଦାୟ କରିଥିବା ଅଭିଯୋଗ ହେଉଛି । ଏହା ସହିତ ସେଣ୍ଟର ପରିଚାଳନା ଦାୟିତ୍ୱରେ ଥିବା ଶିକ୍ଷକଙ୍କୁ ୩୦ ରୁ ୪୦ ହଜାର ଟଙ୍କା ଦେବାକୁ ପଡିବ ବୋଲି ଟଙ୍କା ନେଉଥିବା ଶିକ୍ଷକ କହୁଛନ୍ତି ।

ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ , ପରୀକ୍ଷାରେ ପିଲାମାନଙ୍କୁ ମାଟ୍ରିକ ପରୀକ୍ଷାରେ ପାସ କରାଇବା ପାଇଁ ସେଣ୍ଟର ଫିକ୍ସ କରାଯାଇଛି । ଟଙ୍କା ନେଇ ପରୀକ୍ଷା କେନ୍ଦ୍ର ପରିଚାଳକ ଫିକ୍ସିଂ କରୁଥିବା ଅଭିଯୋଗ ମଧ୍ୟ ହେଉଛି । ଘଟଣା ଚର୍ଚ୍ଚାର ପରିସରକୁ ଆସିଲା ପରେ ଟିଟିଲାଗଡ ଉପ ଜିଲ୍ଲାପାଳ ସୁଧାକର ନାୟକ ଓ ମୁରିବାହାଲ ଶିକ୍ଷାଧିକାର ସମ୍ପୃକ୍ତ କେନ୍ଦ୍ରକୁ ଗସ୍ତ କରିଛନ୍ତି । ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ଉପ ଜିଲ୍ଲାପାଳ ଶ୍ରୀ ନାୟକ କହିଛନ୍ତି , ଯେ ଏକ ଭିଡିଓ ଭାଇରାଲ ହୋଇଥିବା ତାଙ୍କ ଦୃଷ୍ଟିକୁ ଆସିଛି । ତେବେ ଏହା ପରୀକ୍ଷା କେନ୍ଦ୍ରର ଭିଡିଓ ନୁହେଁ , ପରୀକ୍ଷା ପୂର୍ବର ଏକ ଭିଡିଓ ବୋଲି ସେ କହିଛନ୍ତି ।

କିନ୍ତୁ ଘଟଣାର ତଦନ୍ତ କରାଯିବ ଓ ଟଙ୍କା ନେଉଥିବା ତଥା ଏହି ସମସ୍ତ କାରବାରରେ ସମ୍ପୃକ୍ତ ଥିବା ଶିକ୍ଷକମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ତେବେ ପ୍ରଶାସନ ଏହି ଘଟଣାକୁ ଚପାଇ ଦେବା ପାଇଁ ଏକ ପ୍ରକାର ଉଦ୍ୟମ ଆରମ୍ଭ କରିଛି । କିନ୍ତୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବା ସଙ୍ଗେସଙ୍ଗେ ଏଭଳି କଳା କାରବାରରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି ।