ରାଜୀବ ମାମଲା : ନଳିନୀଙ୍କ ପିଟିସନକୁ ଚାଲେଞ୍ଜ

ଚେନ୍ନାଇ, ଏଜେନ୍ସି : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ଆସାମୀ ନଳିନୀଙ୍କୁ ଜେଲରୁ ଖଲାସ କରିବା ସମ୍ପର୍କିତ ତାମିଲନାଡୁ କ୍ୟାବିନେଟ୍ ସୁପାରିଶକୁ କେନ୍ଦ୍ର ସରକାର ମାଡ୍ରାସ ହାଇକୋର୍ଟରେ ଚାଲେଞ୍ଜ କରିଛନ୍ତି। ଗୁରୁବାର ଅତିରିକ୍ତ ସଲିସିଟର ଜେନେରାଲ ଜି ରାଜଗୋପାଲନ୍ ଜଷ୍ଟିସ୍ ଆର୍ ସୁବିୟାହ ଓ ଜଷ୍ଟିସ୍ ଆର୍ ପୁଙ୍ଗିଆପ୍ପାନଙ୍କୁ ନେଇ ଗଠିତ ଖଣ୍ଡପୀଠ ନିକଟରେ ବଳିଷ୍ଠ ଯୁକ୍ତି କରିଥିଲେ। ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାର ୭ ଆସାମୀଙ୍କ ମଧ୍ୟରୁ ନଳିନୀଙ୍କ ଜେଲ ଅବସ୍ଥାନକୁ ବେଆଇନ ନୁହେଁ ବୋଲି ରାଜଗୋପାଲନ୍ ଦର୍ଶାଇବାକୁ ଉଦ୍ୟମ କରିଥିଲେ। ସେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାର ନକଲ ଉପସ୍ଥାପନ କରି କହିଥିଲେ ଯେ ଯେହେତୁ ତାମିଲନାଡୁ କ୍ୟାବିନେଟରେ ଅନୁମୋଦନ ଲାଭ କରିଥିବା ପ୍ରସ୍ତାବ ଉପରେ ରାଜ୍ୟପାଳଙ୍କ ମୋହର ଲାଗିନାହିଁ। ତେଣୁ ଆସାମୀ ନଳିନୀଙ୍କ ଜେଲ ରହଣିକୁ ବେଆଇନ କହିବା ଅନୁଚିତ। ଏହି ମାମଲାର ତଦନ୍ତ ଭାର ସିବିଆଇ ବହନ କରିଥିଲା। ତେଣୁ କେନ୍ଦ୍ର ସରକାରଙ୍କ ମତାମତ ଉପରେ ନଳିନୀଙ୍କ ଜେଲମୁକ୍ତି ନିର୍ଭର କରୁଛି। ଖଣ୍ଡପୀଠ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଛନ୍ତି।