ବାସୁଦେବପୁର,ଏନ୍ଏନ୍ଏସ୍: ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନାର କାର୍ଯ୍ୟରତ ସବଇନସ୍ପେକ୍ଟର ମହାପ୍ରସାଦ ନାୟକଙ୍କୁ ଭଦ୍ରକ ଏସପି କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ଆଇଜି ଦିପ୍ତେଶ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକ ଆରକ୍ଷୀ ଅଧୀକ୍ଷକ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଚଳିତ ମାସ ୧୫ତାରିଖ ସନ୍ଧ୍ୟାରେ ବାସୁଦେବପୁର ଆର୍ତ୍ତର୍ୃଂ ଗ୍ରାମର ଅଶୋକ ଦାସଙ୍କୁ ତାଙ୍କ ବାଇକ ସହ ସୋର ଥାନା ଅଞ୍ଚଳର କେତେକ ବ୍ୟକ୍ତି ଉଠାଇ ନେଇଥିଲେ। ଏହି ଘଟଣାକୁ ନେଇ ବାସୁଦେବପୁର ଥାନାରେ ଅଭିଯୋଗ ହେବା ପରେ ବାସୁଦେବପୁର ପୁଲିସ ତଦନ୍ତ ଆରମ୍ଭ କରିଥିଲା ଓ ଅଶୋକକୁ ଜଲେଶ୍ୱରଠାରୁ ଉଦ୍ଧାର କରିବା ସହିତ ଅପହରଣ ଘଟଣାରେ ବ୍ୟବହୃତ ଗାଡ଼ିକୁ ମଧ୍ୟ ଜବତ କରାଯାଇଥିଲା। ଏହି ଘଟଣାରେ ଜଣେ କନଷ୍ଟେବଳଙ୍କ ବ୍ୟବହୃତ ଗାଡ଼ିକୁ ଅପହରଣ ଘଟଣାରେ ସାମିଲ କରାଯାଇଥିବାରୁ ସମ୍ପୃକ୍ତ କନଷ୍ଟେବଳଙ୍କୁ ମଧ୍ୟ ଗିରଫ କରାଯାଇଥିଲା।
ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ବାସୁଦେବପୁର ଥାନା ସବ୍ଇନସ୍ପେକ୍ଟର ମହାପ୍ରସାଦ ନାୟକ ସଦଳବଳେ ସୋର ଥାନା ଅଞ୍ଚଳକୁ ଯାଇଥିଲେ। ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସବ୍ ଇନ୍ସ୍ପେକ୍ଟରଙ୍କ ଭୂମିକା ସନ୍ଦେହଜନକ ହେବା ସହିତ କାର୍ଯ୍ୟରେ ଅବହେଳା କରିବା ଅଭିଯୋଗରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ଜଣାଯାଇଛି। ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ଜଣକୁ ଗିରଫ କରାଯାଇଛି।