ଭୁବନେଶ୍ୱର,ଏନ୍ଏନ୍ଏସ୍ : ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ଓ ଖରାଟିଆ ପାଗ ରହିବ। ୨୪ ତାରିଖରେ ପାଗରେ ପରିବର୍ତ୍ତନ ଆସି କିଛି ସ୍ଥାନରେ ହାଲକା ବର୍ଷା ହେବାର ସମ୍ଭାବନା ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଗୁରୁବାର କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ବଲାଙ୍ଗିର, କୋରାପୁଟ, ଖୋର୍ଦ୍ଧା, କଟକ, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଘନ କୁହୁଡ଼ି ହେବାର ଆଶଙ୍କା ରହିଛି ବୋଲି କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦନାଥ ପଶୁପାଳକ କହିଛନ୍ତି ଯେ ବୁଧବାର ପର୍ଯ୍ୟନ୍ତ ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ପବନ ବୋହୁଥିଲା। ଗୁରୁବାର ଠାରୁ ପବନର ଦିଗ ପରିବର୍ତ୍ତନ ହେବ ।
ଏହା ସହିତ ୨୪ ତାରିଖ ବେଳକୁ ମଧ୍ୟ ବାୟୁମଣ୍ଡଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାଦ୍ୱାରା ୨୫ ଓ ୨୬ ତାରିଖରେ ପାଗ ମେଘୁଆ ରହିବା ସହିତ କଳାହାଣ୍ଡି ଅଭିବକ୍ତ କୋରାପୁଟ, କଳାହାଣ୍ଡି, ଢେଙ୍କାନାଳ ଓ ଖୋର୍ଦ୍ଧା ଜିଲ୍ଲାରେ ପାଗ ମେଘୁଆ ରହିବା ସହିତ ହାଲକା ବର୍ଷା ହୋଇପାରେ। ଏହାଦ୍ୱାରା ଦିନର ସର୍ବାଧିକ ତାପମାତ୍ରା କମି କିଛି ସ୍ଥାନରେ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ। ସେହିପରି ଗୁରୁବାରଠାରୁ ୨୩ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶା ଓ ଉତ୍ତର ପଶ୍ଚିମ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା କ୍ରମଶଃ ୨-୩ ଡିଗ୍ରୀ ବଢ଼ିବ। ସେହିପରି ସର୍ବାଧିକ ତାପମାତ୍ରା ମଧ୍ୟ ୨ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି।
ସେହିପରି ଖୋର୍ଦ୍ଧା ଓ ଏହାର ଉତ୍ତରରେ ଥିବା ଉପକୂଳବର୍ତ୍ତୀ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ବିଶେଷ ପରିବର୍ତ୍ତନ ହେବ ନାହିଁ। ତେବେ ୨୭ ତାରିଖଠାରୁ ପୁଣି ପାଗରେ ପରିବର୍ତ୍ତନ ହୋଇ ସର୍ବାଧିକ ତାପମାତ୍ରା ବଢ଼ିବ ବୋଲି ପ୍ରଫେସର ପଶୁପାଳକ ପୂର୍ବାନୂମାନ କରିଛନ୍ତି।