କସାବକୁ ହିନ୍ଦୁ ଆତଙ୍କବାଦୀ ରୂପ ଦେବାର କରିଥିଲା ଆଇଏସ୍ଆଇ ଷଡ଼ଯନ୍ତ୍ର

ମୁମ୍ବାଇ: ୨୬/୧୧ ମୁମ୍ବାଇ ଆତଙ୍କୀ ହମ୍ଲାକୁ ହିନ୍ଦୁ ଆତଙ୍କବାଦ ଭାବେ ଦର୍ଶାଇବା ପାଇଁ ପାକ୍ ଗୁପ୍ତଚର ସଂସ୍ଥା ଆଇଏସ୍ଆଇ ଷଡ଼ଯନ୍ତ୍ର କରିଥିଲା ବୋଲି ମୁମ୍ବାଇର ପୂର୍ବତନ ପୁଲିସ କମିଶନର ରାକେଶ ମାରିଆ ତାଙ୍କ ଲିଖିତ ପୁସ୍ତକ ‘ଲେଟ୍ ମି ସେ ଇଟ୍ ନାଓ’ରେ ଉଲ୍ଲେଖ କରିଛନ୍ତି। ମାରିଆ ଲେଖିଛନ୍ତି ଯେ ଅଜମଲ କସବ ହାତରେ ଗୋଟିଏ ନାଲିସୂତା ବାନ୍ଧିଥିଲା। ତା’ ନିକଟରୁ ଜବତ କରାଯାଇଥିବା ଜାଲ୍ ପରିଚୟ ପତ୍ରରେ ତା’ର ନାମ ସମୀର ଦିନେଶ ଚୌଧୁରୀ ଥିଲା। ପରିଚୟ ପତ୍ର ଅନୁସାରେ ସେ ହାଇଦ୍ରାବାଦର କଲେଜ ଛାତ୍ର ଥିଲା। କସବ ଜୀବନ୍ତ ଧରାପଡ଼ି ନଥିଲେ, ସତକଥା ସବୁଦିନ ପାଇଁ ଲୁଚିଯାଇଥାନ୍ତା। ସେ ଜୀବନ୍ତ ଧରାପଡ଼ିବାରୁ ତା’ ଘର ପାକିସ୍ତାନର ଫରିଦକୋଟରେ ବୋଲି ଜଣାପଡ଼ିଥିଲା।

ଆଇଏସ୍ଆଇର ହିନ୍ଦୁ ଆତଙ୍କୀ ସୂତ୍ର ଧରାପଡ଼ିବା ପଛରେ ଭାରତୀୟ ଗଣମାଧ୍ୟମ ଓ ପୁଲିସର ମିଳିତ ଉଦ୍ୟମ ପ୍ରଶଂସନୀୟ ଥିଲା ବୋଲି ରାକେଶ ଲେଖିଛନ୍ତି। କସବ ଧରାପଡ଼ିବା ପରେ ଆଇଏସ୍ଆଇ ଓ ଲସ୍କର ଆତଙ୍କୀମାନେ ତାକୁ ମାରିଦେବା ପାଇଁ ଯଥାସାଧ୍ୟ ଉଦ୍ୟମ କରିଥିଲେ। କସବକୁ ମାରିବା ପାଇଁ ଆଇଏସ୍ଆଇ ଦାଉଦ୍ ଇବ୍ରାହିମ ଗ୍ୟାଙ୍ଗ୍କୁ ଲଗାଇଥିଲା କାରଣ ସେ ହିଁ ମୁମ୍ବାଇ ଆତଙ୍କୀ ହମଲାର ଏକମାତ୍ର ଜୀବନ୍ତ ପ୍ରମାଣ ଥିଲା। ଲସ୍କରଠାରୁ ତାଲିମ ପାଇବା ପରେ କସବକୁ ତିନିଟି କିସ୍ତିରେ ଲକ୍ଷେ ୨୫ ହଜାର ଟଙ୍କା ଦିଆଯାଇଥିଲା। କସବ ଉକ୍ତ ଟଙ୍କା ତା’ ଭଉଣୀକୁ ଦେଇଥିଲା।

ଶୀନା ବୋରା ହତ୍ୟା ମାମଲାର ତଦନ୍ତରୁ ତାଙ୍କୁ ହଟାଇ ଅନ୍ୟତ୍ର ବଦଳି କରାଯିବା ପ୍ରସଙ୍ଗ ମଧ୍ୟ ଉଲ୍ଲେଖ କରିଛନ୍ତି ମାରିଆ। ତାଙ୍କ ବିରୋଧରେ ଅଣା ଯାଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ ଲେଖିଛନ୍ତି। ସେ କେବେ ପିଟର ମୁଖାର୍ଜୀଙ୍କୁ ଖସାଇବାକୁ ଉଦ୍ୟମ କରୁ ନଥିଲେ। ତତ୍କାଳୀନ ଯୁଗ୍ମ କମିଶନର ଦେବେନ୍ ଭାରତୀ ମାରିଆଙ୍କୁ ଅନ୍ଧାରରେ ରଖିଥିଲେ। ସେ କେବେ ତାଙ୍କ ଆଗରେ ପିଟର୍ ମୁଖାର୍ଜୀଙ୍କ ନାମ ଧରି ନଥିଲେ।