ବଲାଙ୍ଗିର,ଏନ୍ଏନ୍ଏସ୍ : ସୋମବାର ଏକ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଳକର ଏବିଡିଓ ରାମ ବିଲାସ ମଙ୍ଗରାଜଙ୍କ ଆଜି ମୃତ୍ୟୁ ହୋଇଛି । ଗତକାଲି ସ୍ୱର୍ଗତ ମଙ୍ଗରାଜ ବଙ୍ଗୋମୁଣ୍ଡା ନିକଟସ୍ଥ ନିଜ ପୈତୃତ ଗାଁ ମମିଁଆକୁ ଏକ କାରରେ ଯାଉଥିବା ବେଳେ ବଙ୍ଗୋମୁଣ୍ଡା ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଖରିଆର ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଅବସ୍ଥା ଆହୁରି ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ରାୟପୁର ଚିକିସô୍ା ପାଇଁ ନିଆଯାଉଥିଲା।
ତେବେ ରାୟପୁର ଯିବା ସମୟରେ ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଗତ ପ୍ରାୟ ୫ ମାସ ହେବ ସ୍ୱର୍ଗତ ମଙ୍ଗରାଜ ବେଲପଡା ଏବିଡିଓ ଭାବେ ଯୋଗ ଦେଇଥିଲେ ମଧ୍ୟ ତାଙ୍କ ସହକର୍ମୀଙ୍କ ମହଲରେ ବେଶ ଆଦୃତ ହୋଇ ପାରିଥିଲେ । ସେ ଜଣେ କର୍ତବ୍ୟନିଷ୍ଠ ଅଧିକାରୀ ଥିଲେ ଓ ଅତ୍ୟନ୍ତ ମାର୍ଜିତ ବ୍ୟବହାର ଥିଲା । ଅଧସ୍ଥନ କର୍ମଚାରୀମାନଙ୍କ ସେ ଅତ୍ୟନ୍ତ ଭଲ ପାଉଥିଲେ ଓ ସମସ୍ତଙ୍କୁ ନେଇ କାମ କରୁଥିଲେ ବୋଲି ତାଙ୍କ ଅଧିନରେ କାମ କରୁଥିବା କର୍ମଚାରୀମାନେ କହିଛନ୍ତି । ସେ ଜଣେ ମିଷ୍ଟଭାଷୀ ଓ ଧର୍ମ ପରାୟଣ ବ୍ୟକ୍ତି ହୋଇଥିବା ବେଳେ କଳା , ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରରେ ତାଙ୍କର ବିଶେଷ ରୁଚି ଥିଲା । ତାଙ୍କର ମୃତ୍ୟୁରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳାଯାଇଛି । ବିଶେଷ କରି ବେଲପଡା ଓ ଗୁଡଭେଲା ବ୍ଳକରେ ସାଧାରଣ ଲୋକ ମଧ୍ୟ ସ୍ୱର୍ଗତ ମଙ୍ଗରାଜଙ୍କ ମୃତ୍ୟୁରେ ମିୟମ୍ରାଣ ହୋଇ ପଡିଛନ୍ତି । ବେଲପଡା ଯିବା ପୂର୍ବରୁ ଦୀର୍ଘଦିନ ଧରି ସ୍ୱର୍ଗତ ମଙ୍ଗରାଜ ଗୁଡଭେଲା ବ୍ଳକର ଏବିଡିଓ ମଧ୍ୟ ଥିଲେ ।