ସମ୍ପତ୍ତି ଆଗରେ ଜନ୍ମଦାତ୍ରୀ ତୁଚ୍ଛ : ବାହାରେ ପଡ଼ିରହିଲା ମା’ର ମୃତଦେହ

ବ୍ରହ୍ମପୁର,ଏନ୍ଏନ୍ଏସ୍ : ବିଧିର ବିଧାନ କିଛି ଅଲଗା। ବଞ୍ôଚଥିବା ବେଳେ ଯେଉଁ ମା’କୁ ନିଜ ଜନ୍ମିତ ଛୁଆମାନେ ପଚାରୁନଥିଲେ, ସେହି ମା’ ଆଜି ମରିବା ପରେ ତା’ର ସମ୍ପତ୍ତି ନେବା ପାଇଁ ଘର ଆଗରେ ୪ ଝିଅଙ୍କ ମଧ୍ୟରେ ମାରପିଟ ଆରମ୍ଭ ହୋଇଯାଇଛି। ଏପରିକି ମା’ର ମୃତଦେହକୁ ମଧ୍ୟ ଘର ଭିତରକୁ ନନେଇ ଦୀର୍ଘ ୬ ଘଣ୍ଟା କାଳ ଦାଣ୍ଡରେ ରଖି ୪ ଝିଅ ଏବଂ ତାଙ୍କ ସମ୍ପର୍କିୟମାନଙ୍କ ମଧ୍ୟରେ ଉଚ୍ଚବାଚ ସହ ଗଣ୍ଡଗୋଳ ସୃଷ୍ଟି ହୋଇଛି। ଏହି ଘଟଣା ଦେଖିବାକୁ ମିଳିଛି ବଡ ବଜାର ଥାନା ଅନ୍ତର୍ଗତ ଶ୍ରୀରାମନଗର ଦ୍ୱିତୀୟ ଲାଇନରେ। ଶେଷରେ ପୁଲିସ୍ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୪ ଝିଅଙ୍କୁ ବୁଝାସୁଝା କରାଯାଇ ଘରର ଚାବି ଖୋଲି ମୃତଦେହକୁ ଘର ଭିତରକୁ ନିଆଯାଇଛି।

ସୂଚନା ଅନୁଯାୟୀ, ବଡ ବଜାର ଥାନା ଅନ୍ତର୍ଗତ ଶ୍ରୀରାମନଗର ଦ୍ୱିତୀୟ ଲାଇନ୍େର ରହୁଥିବା ସୂର୍ଯ୍ୟମଣୀ ସାହୁଙ୍କ ସ୍ୱାମୀ ୨୦୧୨ ମସିହାରେ ମରିଯିବା ପରେ ସେ ତାଙ୍କ ବଡ ଝିଅ ମୀନା କୁମାରୀ ସାହୁଙ୍କ ସହ ରହୁଥିଲେ। ଗତ କିଛିବର୍ଷ ହେଲା ସୂର୍ଯ୍ୟମଣିଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ଯୋଗୁଁ ତାଙ୍କ ବଡ ଝିଅ ମୀନା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝାସୁଝା କରୁଥିଲେ। ସୂର୍ଯ୍ୟମଣୀଙ୍କ ଅନ୍ୟ ୩ ଜଣ ଝିଅ ସନ୍ଧ୍ୟାରାଣୀ ସାହୁ, ସଂଯୁକ୍ତା ସାହୁ ଏବଂ ଅରୁଣା ସାହୁ ବ୍ରହ୍ମପୁର ସହରର ନିଜ ନିଜ ଘରେ ରହୁଥିଲେ। ଗତ ସପ୍ତାହ ହେଲା ସୂର୍ଯ୍ୟମଣୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବା ଯୋଗୁଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆଜି ଅପରାହ୍ନରେ ତାଙ୍କର ମେଡିକାଲରେ ମୃତ୍ୟୁ ଘଟିଥିଲା। ମୃତ୍ୟୁ ଘଟିବା ପରେ ସୂର୍ଯ୍ୟମଣୀଙ୍କ ମୃତଦେହକୁ ତାଙ୍କ ବଡ ଝିଅ ଏବଂ ପିଲାମାନେ ତାଙ୍କ ନିଜ ଘର ଶ୍ରୀରାମନଗର ଦ୍ୱିତୀୟ ଲାଇନକୁ ଆଣିଥିଲେ। ଏହି ଖବର ପାଇ ସହରରେ ରହୁଥିବା ଅନ୍ୟ ୩ ଜଣ ଝିଅ ଉକ୍ତ ଘରେ ଚାବି ପକାଇ ଦେଇଥିଲେ। ସନ୍ଧ୍ୟା ୪ଟା ସମୟରୁ ମୃତଦେହ ରାତି ୯ଟା ପର୍ଯ୍ୟନ୍ତ ରହିଥିଲା।

ମା’ର ସମ୍ପତ୍ତି ୪୦ ଭରି ସୁନା, ୧୦ ଲକ୍ଷ ନଗଦ ଟଙ୍କା ଏବଂ ଦେଢ କୋଟି ଟଙ୍କାର ଘର ଭାଗବଣ୍ଟା ନ ହେଲା ପର୍ଯ୍ୟନ୍ତ ମୃତଦେହକୁ ଘରକୁ ଛାଡିବୁନୁ ବୋଲି ୩ ଝିଅ ଜିଦ୍ ଧରି ବସିଥିଲେ। ବଡ ଝିଅ ମିନା କୁମାରୀ ସାହୁ ମଧ୍ୟ ସମସ୍ତ ସମ୍ପତ୍ତି ନିଜ ଅଧୀନରେ ରଖିବାକୁ ଜିଦ୍ ଧରି ବସିଥିଲେ। ଏହାକୁ ନେଇ ୪ ଝିଅ ଏବଂ ସେମାନଙ୍କ ସମ୍ପର୍କିୟଙ୍କ ମଧ୍ୟରେ ମାରପିଟ୍ ଏବଂ ହାତାହାତୀ ପର୍ଯ୍ୟନ୍ତ କଥା ଯାଇଥିଲା। ବ୍ରହ୍ମପୁର ଟ୍ରାଫିକ୍ ଡିଏସପି ସାର୍ଥକ ରାୟ, ଟାଉନ୍ ଥାନା ଆଇଆଇସି ସୁରେଶ ତ୍ରିପାଠୀ ଏବଂ ସ୍ଥାନୀୟ ତହସିଲଦାର ଘଟଣାସ୍ଥଳରେ ପହଞ୍ôଚ ମୃତକଙ୍କ ୪ ଝିଅ ଏବଂ ତାଙ୍କ ସମ୍ପର୍କୀଙ୍କୁ ବୁଝାସୁଝା କରିଥିଲେ।

ପ୍ରଥମେ ମୃତ ମାଆଙ୍କୁ ଦାଣ୍ଡରୁ ଉଠାଇ ଘର ଭିତରେ ନେଇ ରଖିବା ପରେ ହିଁ ସମ୍ପତ୍ତି କଥା ଚିନ୍ତା କରାଯିବ ବୋଲି ପୁଲିସ୍ ରୋକଠୋକ୍ କହିବା ପରେ ୪ ଭଉଣୀ ଶାନ୍ତ ପଡିଥିଲେ। ସୂର୍ଯ୍ୟମଣୀ ସାହୁୁଙ୍କ ଶବ ୬ ଘଣ୍ଟା କାଳ ବାରଣ୍ଡାରେ ରହିବା ପରେ ପୁଲିସ୍ର ଉପସ୍ଥିତିରେ ଶବକୁୁ ଘର ଭିତରକୁ ନିଆଯାଇଥିଲା। ପରେ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ମୃତ ଦେହକୁ ଶ୍ମଶାନକୁ ନିଆଯାଇଥିଲା। ସମସ୍ତ ଅନ୍ତେଷ୍ଟୀ କାର୍ଯ୍ୟ ସରିଥିଲା। ଶେଷରେ ସମ୍ପତ୍ତି ନେବା ପାଇଁ ସମସ୍ତ ଝିଅ ଏକାଠି ହୋଇଥିବା ବେଳେ ମୃତଦେହ ନେବା ପାଇଁ କହି ନଥିଲେ। ଶେଷରେ ପୁଲିସ୍ କୋକେଇ ଭିଡିଥିଲା।