ରାଜଧାନୀରେ ଶବର ଆଦିବାସୀ ମେଳି 

ଭୁବନେଶ୍ୱର,ଏନ୍ଏନ୍ଏସ୍: ଜମିପଟ୍ଟାରେ ‘ସଅର’କୁ କାଟି ଶବର ଲେଖିବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାପାଳମାନଙ୍କୁ କ୍ଷମତା ପ୍ରଦାନ କରିବା ଦାବିରେ ଭୁବନେଶ୍ୱର ଲୋୟର ପିଏମଜିରେ ସୋମବାର ସକାଳେ ଓଡ଼ିଶା ପ୍ରଜା ସଂଘର୍ଷ ସମିତି ବ୍ୟାନରରେ ହଜାର ହଜାର ଶବର ଆଦିବସୀ ମେଳି ହୋଇଥିଲେ। ସାରା ରାଜ୍ୟରୁ ଆସିଥିବା ହଜାର ହଜାର ଆଦିବାସୀ ପଦଯାତ୍ରାରେ ସାମିଲ ହୋଇଥିଲେ। ଜନନେତା ଇଂ ଦେବାଶିଷ ହୋତାଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ହୋଇଥିଲା। ୧୧ ବର୍ଷର ଦାବିକୁ ମୁଖ୍ୟମନ୍ତ୍ରୀ ତୁରନ୍ତ ପୂରଣ ନ କରିବା ପର୍ଯ୍ୟନ୍ତ ପିଏମ୍ଜିରେ ବସି ରହି ଆନ୍ଦୋଳନ କରିବାକୁ ଜିଦି ଧରିଛନ୍ତି ଆନ୍ଦୋଳନକାରି ଶବର ଆଦିବାସୀମାନେ।

 ସୂଚନାଯୋଗ୍ୟ, କେତେଗୁଡ଼ିଏ ସ୍ଥାନରେ ବାପାର ଜମିପଟ୍ଟାରେ ଜାତି ସ୍ଥାନରେ ସଅର ବୋଲି ଲେଖାଯାଇଥିବାବେଳେ ପୁଅର ଜମିପଟ୍ଟାରେ ଶବର ବୋଲି ଲେଖାଯାଇଛି। ସରକାରୀ କର୍ମଚାରୀଙ୍କ ଏଭଳି ଭୁଲ୍ ଯୋଗୁଁ ବାପା ଅନୁସୂଚିତ ଜନଜାତି ହୋଇପାରୁ ନଥିବା ବେଳେ ପୁଅ ଅନୁସୂଚିତ ଜନଜାତି (ଏସଟି) ଶ୍ରେଣୀଭୁକ୍ତ ହେଉଛି। ତେଣୁ ୧୧ବର୍ଷ ତଳେ ଓଡ଼ିଶା ସରକାରଙ୍କ ଏସ୍ଟି ଏବଂ ଏସ୍ସି. ଉନ୍ନୟନ ବିଭାଗ ତରଫରୁ ୨୦୦୯ ଜୁନ୍ ୧୨ରେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଦିଆଯାଇଥିବା ଚିଠି ସଂଖ୍ୟା ୨୨୧୦୬ /ଏସଏସଡି/ଭୁବନେଶ୍ୱର ଅନୁଯାୟୀ ଜମିପଟ୍ଟାମାନଙ୍କରେ ଜାତି ସ୍ଥାନରେ ଲେଖାଯାଇଥିବା ‘ସଅର’କୁ କାଟି ତୁରନ୍ତ ‘ଶବର’ ଲେଖାଯିବା ପାଇଁ ଜିଲ୍ଲାପାଳମାନଙ୍କୁ ବୋର୍ଡ୍ ଅଫ୍ ରେଭିନ୍ୟୁର କ୍ଷମତା ପ୍ରଦାନ କରିବା ନିମନ୍ତେ ସେତେବେଳର ବିଭାଗୀୟ ପ୍ରିନ୍ସିପାଲ୍ ସେକ୍ରେଟାରୀ ଅନୁରୋଧ କରିଥିଲେ।

ଏନେଇ ଶ୍ରୀ ହୋତା ବ୍ୟକ୍ତିଗତ ଭାବେ ବର୍ତ୍ତମାନର ଏସଟି ଏସସି ପ୍ରିନ୍ସିପାଲ୍ ସେକ୍ରେଟାରୀ ରଞ୍ଜନା ଚୋପ୍ରାଙ୍କୁ ଭେଟି ଏ ବିଷୟରେ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରିଥିଲେ। ଗରିବ ଶବର ସମାଜ ଗତ ୧୧ ବର୍ଷ ଧରି ଏହି ଅସୁବିଧାର ସମ୍ମୁଖୀନ ହୋଇଆସୁଛି ବୋଲି ଶବର ଆଦିବାସୀମାନେ ଅଭିଯୋଗ କରିଛନ୍ତି। ତେବେ ସରକାରଙ୍କର ଏଥିପ୍ରତି ନିଘା ନାହିଁ। ସରକାର ପୁଲିସ୍ ଫୋର୍ସ ଲଗାଇ ମାରିଦେଲେ ମଧ୍ୟ ନ୍ୟାୟ ନମିଳିବା ଯାଏ ଆମେ ଆନ୍ଦୋଳନ ଜାରିରଖିବୁ ବୋଲି କହିଛନ୍ତି ଶ୍ରୀ ହୋତା।