ଝାରସୁଗୁଡା,ଏନ୍ଏନ୍ଏସ୍ : ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସ୍ଥିତ ନୁଆ ଛର୍ତା କୋଲ ସାଇଡିଂରୁ ସୋମବାର ଜଣେ ଯୁବକର ମୃତ ଦେହ ବନହରପାଲି ପୁଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣକ ବେଜି ବନ୍ଦ ଗ୍ରାମର ସାଧୁ ପଧାନଙ୍କ ପୁଅ ଇନ୍ଦ୍ରଜିତ ପ୍ରଧାନ(୨୫) ବୋଲି ଜଣା ପଡିଛି। ସୂଚନା ଅନୁଯାୟୀ, ସୋମବାର ସକାଳେ ନୁଆଁ ଛର୍ଲ୍ଲା କୋଲ ସାଇଡିଂରୁ ଓପିଜିସିକୁ କୋଇଲା ପରିବହନ ପାଇଁ ତିଆରି ହୋଇଥିବା ରେଳ ଧାରଣାରେ ଏକ ମୃତ ଦେହ ପଡିଥିବାର ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ବନହର ପାଲି ପୁଲିସ ତୁରନ୍ତ ଘଟଣାସ୍ଥଳକୁ ପହଂଚି ମୃତକ ପରିବାରକୁ ଖବର ଦେଇଥିଲେ। ତେବେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ଶବ ରଖି ଧାରଣା ଦେଇଥିଲେ।
ମୃତକଙ୍କ ପରିବାରକୁ କ୍ଷତିପୁରଣ ନ ମିଳିବା ଯାଏଁ ରେଳ ଧାରଣାରୁ ଶବ ଉଠାଇବାକୁ ଦିଆଯିବ ନାହିଁ ବୋଲି ଲୋକେ କହିଥିଲେ। ଦୀର୍ଘ ସମୟ ଧରି ରେଳ ଧାରଣାରେ ଶବ ପଡି ରହିବା ପରେ ମୃତକ ଜଣକ କାମକରୁଥିବା ଏମସିଏଲର ଠିକା ସଂସ୍ଥା ଗ୍ଲୋବାଲ କମ୍ପାନୀ ପକ୍ଷରୁ କ୍ଷତିପୁରଣର ପ୍ରତିଶୃତି ମିଳିବ ପରେ ସ୍ଥାନୀୟ ଲୋକେ ଧାରଣାରୁ ଓହ୍ଲାଇଥିଲେ। ଏହାପରେ ସଂଧ୍ୟାରେ ପୁଲିସ ଇନ୍ଦ୍ରଜିତର ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ପ୍ରକାଶ ଯୋଗ୍ୟ ଯେ, ଆଜି ସକାଳେ ଇନ୍ଦ୍ରଜିତ ମର୍ଣ୍ଣିଙ୍ଗ ସିପ୍ଟ ଡ୍ୟୁଟି କରିବା ପାଇଁ ଘରୁ ବାହାରି ଥିଲେ। ତେବେ ସେ କାହିଁକି ରେଳ ଧାରଣା ନିକଟକୁ ଯାଇଥିଲେ, କେଉଁ ଓ କିପରି ରେଳଗାଡି ତାଙ୍କ ଶରୀର ଉପରେ ଚଢିଲା ତହା ଏ ପର୍ଯ୍ୟନ୍ତ ଜଣା ପଡି ନଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ। ଅନ୍ୟପଟେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ପୋଷ୍ଟମୋର୍ଟ ରିପୋର୍ଟ ଆସିଲା ପରେ ଅଧିକ ସୂଚନା ମିଳି ପାରିବ ବୋଲି ସୂଚନା ଦେଇଛି।