ଯୁବତୀଙ୍କୁ ଅସଦାଚରଣ କରି କନଷ୍ଟେବଳ ସସପେଣ୍ଡ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଚ୍ ରାସ୍ତାରେ ଯୁବତୀଙ୍କୁ ଅସଦାଚରଣ କରିବା ପୁଲିସ କନଷ୍ଟେବଳଙ୍କୁ ମହଙ୍ଗା ପଡ଼ିଛି। ଏନେଇ ସମ୍ପୃକ୍ତ କନଷ୍ଟେବଳଙ୍କୁ ତାଙ୍କ ଚାକିରିରୁ ନିଲମ୍ବିତ କରାଯାଇଥିବା କମିଶନରେଟ ପୁଲିସ ପକ୍ଷରୁ ସୂଚନା ମିଳିଛି। ପୁଲିସ କନଷ୍ଟେବଳ ଜଣଙ୍କ ହେଲେ ସ୍ପେଶାଲ ସିକ୍ୟୁରିିଟି ବାଟାଲିୟନରେ କାର୍ଯ୍ୟରତ ଥିବା ପ୍ରମୋଦ ବେହେରା। ତାଙ୍କ ଘର ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଅଞ୍ଚଳର ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ରବିବାର ରାଜମହଲ ଛକରୁ କଳ୍ପନା ଛକ ଅଭିମୁଖେ ଜଣେ ଯୁବତୀ ଚାଲି ଚାଲି ଆସୁଥିଲେ। ଏତିକିବେଳେ ପ୍ରମୋଦ ତାଙ୍କ ପିଛା କରିଥିଲେ। ସେ ପ୍ରାୟ କଳ୍ପନା ଛକ ନିକଟରେ ଥିବା ଫଳଦୋକାନ ପର୍ଯ୍ୟନ୍ତ ସମ୍ପୃକ୍ତ ଯୁବତୀଙ୍କ ପଛରେ ଯାଇଥିଲେ। ଏହି ସମୟରେ ସେ ଯୁବତୀଙ୍କୁ ବିଭିନ୍ନ ପ୍ରକାର ଅଶ୍ଲୀଳ ଇଙ୍ଗିତ ପ୍ରଦର୍ଶନ କରିଥିଲେ। ଏନେଇ ଯୁବତୀ ଜଣଙ୍କ ତାଙ୍କ ଠାରୁ ଦୂରେଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ତାଙ୍କ ପିଛା ଛାଡ଼ିନଥିଲେ।

ଶେଷରେ ଯୁବତୀ ଜଣଙ୍କ ଜୋରସେ ଚିଲାଇବାରୁ ସ୍ଥାନୀୟ ଲୋକେ ପ୍ରମୋଦଙ୍କୁ କାବୁ କରି ନେଇଥିଲେ। ଏହାପରେ ଯୁବତୀ ଜଣଙ୍କ ପ୍ରମୋଦକୁ ଗୋଇଠା ମାରିବା ସହ ତାଙ୍କୁ ଚପଲ କାଢ଼ି ପିଟିଥିଲେ। ପରେ ସ୍ଥାନୀୟ ଲୋକମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରମୋଦଙ୍କୁ ଲୋକଙ୍କ କବଳରୁ ଉଦ୍ଧାର କରି ଥାନାକୁ ନେଇଥିଲା।