ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଅବକାରୀ ବିଭାଗର କେତେକ ଅସାଧୁ କର୍ମଚାରୀଙ୍କୁ ହାତ କରି ମଦ ମାଫିଆ ଖୁଲମଖୁଲା ବେପାର ଚଳାଉଥିଲେ। ଏ ନେଇ ସାଧାରଣରେ ଅନେକବାର ଅଭିଯୋଗ ହୋଇଆସୁଥିଲା। ଏହାକୁ ଆଧାରକରି ବୁଧବାର ବାରକୋଟ ଥାନା ପୁଲିସ ସରୁଆଳୀ ଗ୍ରାମରେ ଅଚାନକ ଚଢ଼ଉ କରି ବ୍ୟାପକ ପୋଚ ନଷ୍ଟ କରିବା ସହ ସେଠାରୁ ୨ଶହ ଲିଟର ଦେଶୀ ମଦ ଜବତ କରିଛି। ସେହିପରି ୪ଟି ବାଇକ ଓ ମଦ ରନ୍ଧା ସାମଗ୍ରୀ ସହ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ ହୋଇଛି।
ପୁଲିସ ସୂଚନା ଅନୁସାରେ ସରୁଆଳୀ ଗ୍ରାମର ନାଳ କଡ଼ରେ କିଛିଦିନ ଧରି ବେଆଇନ ମଦ ରନ୍ଧା ଯାଉଥିଲା। କୌଣସି ସୂତ୍ରରୁ ଖବରପାଇ ବାରକୋଟ ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା, ସବଇନ୍ସପେକ୍ଟର ପ୍ରଦୀପ ରଞ୍ଜନ ପାତ୍ର, ଦେବବ୍ରତ ନାୟକ ଓ ଏସଆଇ ପୁରୁଷୋତ୍ତମ ବେହେରା ପ୍ରମୁଖ ସଦଳବଳେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ଉକ୍ତ ଗ୍ରାମର ଗୌତମ ନାଏକ, ମାନସ ନାଏକ, ଋଷିକେଶ ଦଳେଇ, ପ୍ରତାପ କୁମାର ସାହୁ, କିଶୋର ଚନ୍ଦ୍ର ସାହୁ ଓ ଦିଲ୍ଲୀପ କୁମାର ସାହୁଙ୍କୁ ଉକ୍ତ ସ୍ଥାନରେ କାବୁ କରିଥିଲେ।
ସେଠାରୁ ୨ଶହରୁ ଊର୍ଦ୍ଧ୍ୱ ଲିଟର ଦେଶୀ ରନ୍ଧା ମଦ ଓ ସାମଗ୍ରୀ ସହ ୪ଟି ବାଇକ ଜବତ କରିଛି। ତେବେ ଗିରଫ ୬ ଅଭିଯୁକ୍ତଙ୍କୁ କୋର୍ଟ ଚାଳାଣ କରାଯାଇଥିବା ଜଣାପଡ଼ିଛି। ପୁଲିସ ତଦନ୍ତ ସମୟରେ ଅବକାରୀ ବିଭାଗର କେତେକ ଅସାଧୁ କର୍ମଚାରୀଙ୍କୁ ବଟି ଦେଇ ଅଭିଯୁକ୍ତମାନେ ଉକ୍ତ ଅଞ୍ଚଳରେ ବେଆଇନ ମଦ କାରବାର କରୁଥିବା ଅଭିଯୁକ୍ତମାନେ କହିଛନ୍ତି।