ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି(ଆପ୍)ର ହାଟ୍ରିକ୍ ବିଜୟ ହୋଇଥିବା ବେଳେ ଏହି ସମୟରେ ଏକ ଅଘଟଣ ଘଟିଯାଇଛି। ବିଜୟ ପରେ ସେଲିବ୍ରେସନ୍ ପାର୍ଟି ଚାଲିଥିବା ବେଳେ ଜଣେ ଦୁର୍ବୃତ୍ତ ଅଚାନକ ଆସି ଗୁଳିଚାଳନା କରିଥିଲା। ଏଥିରେ ଆପର ଜଣେ କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି।
ଆପର ବିଧାୟକ ନରେଶ ଯାଦବ ଦକ୍ଷିଣ ପଶ୍ଚିମ ଦିଲ୍ଲୀର କିଶନଗଡ଼ ଗାଁରେ ନିଜ ସମର୍ଥକମାନଙ୍କ ସହିତ ମନ୍ଦିରରୁ ପୂଜା ସାରି ଫେରୁଥିଲେ। ଏହି ସମୟରେ ପ୍ରାୟ ୭ ରାଉଣ୍ଡ ଫାୟାରିଂ ହୋଇଥିଲା। ଆପ୍ ସାଂସଦ ସଞ୍ଜୟ ସିଂହ ଏନେଇ ଟ୍ୱିଟ୍ କରି ଖବର ଦେଇଛନ୍ତି। ମୃତ ସ୍ୱେଚ୍ଛାସେବୀଙ୍କ ନାମ ଅଶୋକ ମାନ୍।
ଦିଲ୍ଲୀ ପୁଲିସ ସୂଚନା ଅନୁସାରେ ଘଟଣାସ୍ଥଳରୁ ୬ ରୁ ୭ ଟି ଗୁଳିର ଖାଲି ଖୋଳ ମିଳିଥିବା ବେଳେ ଏ ନେଇ ପୁଲିସ ଜାଞ୍ଚ ଆରମ୍ଭ କରିଛି। ବିଧାୟକ ନରେଶ ଯାଦବଙ୍କ କହିବା ଅନୁସାରେ ଏହା ଖୁବ୍ ଦୁର୍ଭାଗ୍ୟଜନକ ଏବଂ ଦୁଃଖଦ ଘଟଣା। ଘଟଣା ପଛରେ କ’ଣ କାରଣ ମୁଁ ଜାଣିନାହିଁ, ମନ୍ଦିର ପୂଜା ସାରି ଘରକୁ ଫେରିବା ବାଟରେ ପ୍ରଥମେ ୪ ରାଉଣ୍ଡ ଗୁଳି ଚଳିଥିଲା । ମୁଁ ବସିଥିବା ଗାଡି ଉପରକୁ ମଧ୍ୟ ଗୁଳି ମାଡ଼ ହୋଇଥିଲା।” ତେବେ ଗୁରୁତରଙ୍କ ନାମ ହରେନ୍ଦ୍ର ବୋଲି ଜଣାପଡିଛି । ଦିଲ୍ଲୀ ନିର୍ବାଚନରେ ଆପର ବିପୁଳ ବିଜୟ ପରେ ଏପରି ଗୁଳିକାଣ୍ଡ ରାଜନୈତିକ ମହଲରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।