ରାଜ୍ୟରେ ଲାଗି ରହିଛି ବର୍ଷା ସାଙ୍ଗକୁ କୋହଲା ପାଗ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସାରା ରାଜ୍ୟରେ ଜାରି ରହିଛି କୋହଲା ପାଗ। ତା ସାଙ୍ଗକୁ କେତେକ ସ୍ଥାନରେ ଲାଗି ରହିଛି ବର୍ଷା। ଆହୁରି ୨ଦିନ ପର୍ୟ୍ୟନ୍ତ ଏଭଳି ପାଗ ଲାଗି ରହିବ। ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୩ ଦିନ ପର୍ୟ୍ୟନ୍ତ ଘନ କୁହୁଡି ଲାଗି ରହିବ। ତେବେ ୧୦ତାରିଖ ପରଠାରୁ ପାଗରେ ପରିବର୍ତ୍ତନ ହେବ। ବର୍ଷା କମିବା ସହ ପୁଣି ଶୀତ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାତିର ତାମପାତ୍ରା ୩ରୁ ୫ ଡିଗ୍ରୀ ପର୍ୟ୍ୟନ୍ତ କମିବ। ଗତକାଲି ଦାରିଙ୍ଗବାଡିରେ ସର୍ବାଧିକ ୧୭ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା ସେହିପରି ଚାଷୀଙ୍କୁ ସତର୍କ କରାଯିବା ସହ ସ୍ଥିତି ଉପରେ ଦୃଷ୍ଟି ରଖିବାକୁ ଜିଲ୍ଲାପାଳମାନକୁ ପରାମର୍ଶ ଦିଆଯାଇଛି। ଏଥିସହ ୧୦ ଓ ୧୧ତାରିଖରେ କେତେକ ଜିଲ୍ଲାରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି।

ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ୮ ତାରିଖ ପୂର୍ବାହ୍ନ ସୁଦ୍ଧା ଜଗତସିଂହପୁର, ପୁରୀ, ଗଞ୍ଜାମ ଓ ସମ୍ବଲପୁର ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବ। ସୋନପୁର, ବୌଦ୍ଧ, ଅନୁଗୁଳ, ସମ୍ବଲପୁରର କେତେକ ସ୍ଥାନରେ ଘୂର୍ଣ୍ଣିଝଡ଼ ହୋଇପାରେ। ଏଥିସହ ନୟାଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଜିଲ୍ଲାରେ ଘଡ଼ଘଡ଼ି, ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।
୯ ତାରିଖ ଅପରାହ୍‌ଣଠାରୁ ପାଗରେ ପରିବର୍ତନ ଆସିବ। ବର୍ଷା କମିବା ସହ କୁହୁଡ଼ି ବଢ଼ିବ। ରାଜ୍ୟର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ୯ ଓ ୧୦ ତାରିଖରେ ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କଟକ, ଖୋର୍ଦ୍ଧା ଓ କନ୍ଧମାଳ ଜିଲ୍ଲାରେ ଘନ କୁହୁଡ଼ି ହେବ। ଏଥିସହ ୧୦ ଓ ୧୧ ତାରିଖରେ କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ଅନୁଗୁଳ, ବଲାଙ୍ଗୀର ଓ କୋରାପୁଟ ଜିଲ୍ଲାରେ ଘନ କୁହୁଡ଼ି ହେବ। ତେଣୁ ସତର୍କତା ଅବଲମ୍ବନ କରିବାକୁ ଗାଡ଼ି ଚାଳକଙ୍କୁ ପରାମର୍ଶ ଦିଆଯାଇଛି।