କାଜାଖସ୍ତାନ: ଏକକ ମହାକାଶଯାନରେ ଲମ୍ବା ସମୟ ଧରି ମହାକାଶରେ କଟାଇବା ପରେ ଗୁରୁବାର ପୃଥିବୀ ପୃଷ୍ଠରେ ଅବତରଣ କରିଛନ୍ତି ନାସା ମହିଳା ମହାକାଶଚାରୀ କ୍ରିଷ୍ଟିନା କୁଚ୍। ତାଙ୍କ ସହିତ ସୋୟୁଜ କମାଣ୍ଡର ଆଲେକ୍ଜାଣ୍ଡାର କୁର୍ସୋଭ(ରୁଷିଆ) ଓ ୟୁରୋପ ମହାକାଶ ସଂସ୍ଥା ମହାକାଶଚାରୀ ଲୁକା ପର୍ମିଟାନୋ ମଧ୍ୟ ପୃଥିବୀକୁ ଫେରିଛନ୍ତି। ତିନିହେଁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ରୁ ଆସି କାଜାଖସ୍ତାନର ଦକ୍ଷିଣ-ପୂର୍ବ ଅନ୍ତର୍ଗତ ଡେଜକାଜଗାନରେ ଅବତରଣ କରିଛନ୍ତି। ଜଣେ ମହିଳା ମହାକାଶଚାରୀ ଭାବେ ସବୁଠାରୁ ଅଧିକ ଦିନ ଧରି ମହାକାଶରେ ରହିବା ଫଳରେ ମହାକାଶବିଜ୍ଞାନୀଙ୍କ ମନରେ ମଙ୍ଗଳକୁ ମଣିଷ ପଠାଇବା ଆଶା କ୍ରମେ ଦୃଢ଼ ହୋଇଛି।
୨୦୧୯ ମାର୍ଚ୍ଚ ୧୪ରେ କୁଚ୍ ଙ୍କ ସମେତ ନାସା ମହାକାଶଚାରୀ ନିକ୍ ହେଗ୍ ଓ ରୁଷିଆ ମହାକାଶଚାରୀ ଆଲେକ୍ସି ଓଚିନିନ୍ ମଧ୍ୟ ମହାକାଶ ଷ୍ଟେସନ୍ ଅଭିମୁଖେ ଯାତ୍ରା କରିଥିଲେ। ୩୨୮ ଦିନ ଧରି କୁଚ୍ ଏକ ଆସନବିଶିଷ୍ଟ ମହାକାଶଯାନରେ ବସି ମହାଶୂନ୍ୟରେ ଅବସ୍ଥାନ କରିଥିବାରୁ ଆମେରିକା ପାଇଁ ଏହା ଗୌରବର ବିଷୟ। କୁଚ୍ ପୃଥିବୀକୁ ପ୍ରାୟ ୫,୨୪୮ ଥର ଅର୍ଥାତ୍ ୧୩୯ ନିୟୁତ ମାଇଲ୍ ଥର ପ୍ରଦକ୍ଷିଣ କରିଛନ୍ତି। ପୃଥିବୀରୁ ଚନ୍ଦ୍ରକୁ ୨୯୧ ଥର ଯା’ଆସ କରିବା ଯେତିକି ବାଟ, ଏକା କୁଚ୍ ସେତିକି ସମୟ ଧରି ମହାକାଶରେ ବୁଲିବା ଐତିହାସିକ ଘଟଣା ନିଶ୍ଚିତ।
ମହାକାଶରେ ୧୧ ମାସ ରହଣି ଭିତରେ ସେ ୬ ଥର ମହାକାଶରେ ଚାଲିଛନ୍ତି। ସେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ରହିବା ଭିତରେ ଡଜନେ ମହାକାଶଚାରୀ ପୃଥିବୀରୁ ସେଠାକୁ ଯାଇ ଫେରିଛନ୍ତି। ପର୍ମିଟାନୋ ଓ ସ୍କୁର୍ସୋଭ ମହାକାଶରେ ୨୦୧ ଦିନ କଟାଇଥିବା ଜଣାପଡ଼ିଛି। ସେମାନେ ପୃଥିବୀକୁ ପ୍ରାୟ ୩,୨୧୬ ଥର ଅର୍ଥାତ୍ ୮୫.୨ ନିୟୁତ ମାଇଲ୍ ପରିକ୍ରମା କରିଛନ୍ତି। ପର୍ମିଟାନୋ, ସ୍କୁର୍ସୋଭ ଓ ନାସା ମହାକାଶଚାରୀ ଆଣ୍ଡ୍ରେ ମୋର୍ଗାନ ଗତ ଜୁଲାଇରେ ମହାକାଶକୁ ଯାଇଥିଲେ। ମୋର୍ଗାନ ମହାକାଶ ଷ୍ଟେସନ୍ ଲାବରେ ଅବସ୍ଥାନ କରିଛନ୍ତି। ସେ ଏପ୍ରିଲ ୧୭ରେ ପୃଥିବୀକୁ ଫେରିବେ।
ଦ୍ୱିତୀୟବାର ମହାକାଶ ମିଶନରେ ଯାଇ ପର୍ମିଟାନୋ ସେଠାରେ ପ୍ରାୟ ୩୬୭ ଦିନ କଟାଇଛନ୍ତି। ଜଣେ ୟୁରୋପୀୟ ମହାକାଶଚାରୀ ଭାବେ ଏହା ତାଙ୍କର ଐତିହାସିକ ମହାକାଶ ଅଭିଯାନ। ମହାକାଶ ଷ୍ଟେସନ୍ରୁ ବାହାରକୁ ଆସି ପର୍ମିଟାନୋ ୪ ଥର ମହାକାଶରେ ଚାଲିଛନ୍ତି। ପ୍ରାୟ ୨୫ ଘଣ୍ଟା ୩୦ ମିନିଟ୍ ଧରି ମହାକାଶ ଷ୍ଟେସନ୍ ବାହାରେ କଟାଇଥିବା ଅନୁଭୂତି ତାଙ୍କର ଅଛି। ଦୁଇଥର ଯାକ ମହାକାଶ ଷ୍ଟେସନକୁ ଯିବା ଭିତରେ ସେ ମୋଟ ୬ ଥର ମହାକାଶରେ ଚାଲିଛନ୍ତି ଓ ମହାକାଶ ଷ୍ଟେସନ୍ ବାହାରେ ୩୩ ଘଣ୍ଟା ୦୯ ମିନିଟ୍ କଟାଇଛନ୍ତି। ସେହିଭଳି ସ୍କୁର୍ସୋଭ ମହାକାଶରେ ମୋଟ ୫୪୬ ଦିନ କଟାଇବାକୁ ସକ୍ଷମ ହୋଇଛନ୍ତି। ଏହା ତାଙ୍କର ତୃତୀୟ ମହାକାଶ ମିଶନ୍ ଥିଲା।
ଗୁରୁବାର ତିନି ମହାକାଶଚାରୀ କାଜାଖସ୍ତାନର ଦକ୍ଷିଣ-ପୂର୍ବ ଅପନ୍ତରା ସହରରେ ଅବତୀର୍ଣ୍ଣ କରିବା ପରେ ରୁଷ ହେଲିକପ୍ଟର ସେମାନଙ୍କୁ ଧରି କାଜାଖସ୍ତାନ ଡାକ୍ତରଖାନାରେ ପହଞ୍ଚଥିଲା। ସେଠାରେ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବା ପରେ ନାସା ବିମାନ ସେମାନଙ୍କୁ ଧରି ଜର୍ମାନୀର କୋଲୋନ୍ରେ ପହଞ୍ଚଥିଲା। ସେଠାରେ ୟୁରୋପ ମହାକାଶ ସଂସ୍ଥା (ଇଏସ୍ଏ) କର୍ତ୍ତୃପକ୍ଷ ପର୍ମିଟାନୋଙ୍କୁ ସମ୍ବର୍ଦ୍ଧନା କରିବେ। ମହିଳା ମହାକାଶଚାରୀ କୁଚ୍ ତାଙ୍କ ଘର ହୋଷ୍ଟନ୍ ଅଭିମୁଖେ ଯାତ୍ରା କରିବେ।
ସ୍କୁର୍ସୋଭ ଗାଗାରିନ୍ ମହାକାଶ ତାଲିମ କେନ୍ଦ୍ରକୁ ଯିବେ। ସେଠାରୁ ତାଙ୍କ ଘର ଷ୍ଟାର୍ସିଟିକୁ ଫେରିଯିବେ। ଏବେ ମହାକାଶ ଷ୍ଟେସନ୍ରେ ନାସା ମହାକାଶଚାରୀ ଜେସିକା ମୈର୍, ମୋର୍ଗାନ୍ ଓ ରୁଷ ମହାକାଶଚାରୀ ଓଲେଗ ସ୍କ୍ରିପୋଚ୍କା ଅଛନ୍ତି। ତିନିହେଁ ଆସନ୍ତା ଏପ୍ରିଲ ପର୍ଯ୍ୟନ୍ତ ସେଠାରେ ଅବସ୍ଥାନ କରିବେ। ଇତିମଧ୍ୟରେ ନାସା ମହାକାଶଚାରୀ କ୍ରିସ କାସିଡି ଓ ରୁଷ ମହାକାଶଚାରୀ ନିକୋଲାଇ ତିଖୋନୋଭ ଓ ଆଣ୍ଡ୍ରେଇ ବବକିନ୍ ମହାକାଶ ଷ୍ଟେସନ୍କୁ ଯାତ୍ରା କରିବାର ଅଛି।