ସଂସଦରେ ବଜେଟ ଅଧିବେଶନ ସମୟରେ ରାହୁଲଙ୍କୁ ଟାର୍ଗେଟ କଲେ ମୋଦୀ; କହିଲେ ଟ୍ୟୁବଲାଇଟ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସଂସଦରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ମନ୍ତବ୍ୟ ରଖିଛନ୍ତି । ବଜେଟ ଅଧିବେଶନ ପୂର୍ବରୁ ରାଷ୍ଟ୍ରପତି ଜାନୁଆରୀ ୩୧ରେ ଉଭୟ ରାଜ୍ୟସଭା ଏବଂ ଲୋକସଭା ପାଇଁ ମିଳିତ ବୈଠକକୁ ସମ୍ବୋଧନ କରିଥିଲେ । ଉଭୟ ରାଜ୍ୟସଭା ଏବଂ ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ବକ୍ତବ୍ୟ ରଖିଥିଲେ । ଏଥିରେ ପ୍ରଧାନମନ୍ତ୍ରୀ ବହୁ ମହତ୍ୱପୂର୍ଣ୍ଣ ତଥ୍ୟ ଉପରେ ଆଲୋକପାତ କରିଥିଲେ ।

ତେବେ ଆଜି ସଂସଦରେ ପ୍ରଧାନମନ୍ତ୍ରୀ ମୋଦି ବିରୋଧୀ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି । ଏହି ପରିପ୍ରେକ୍ଷୀରେ ‘ଯୁବପିଢ଼ି ମୋଦୀଙ୍କୁ ଠେଙ୍ଗାରେ ପିଟିବେ’ ବୋଲି ରାହୁଲଙ୍କ ଏକ ମନ୍ତବ୍ୟର ଉତ୍ତର ଦେବାକୁ ଯାଇ ମୋଦୀ କହିଛନ୍ତି, ଏବେ ମୁଁ ସୂର୍ୟ୍ୟ ନମସ୍କାର ସଂଖ୍ୟା ବଢ଼ାଇଦେବି। ସୂର୍ୟ୍ୟ ନମସ୍କାର କରି ପିଠିକୁ ଟାଣ କରିବି। ରାହୁଲ ଗତ ବୁଧବାର ଦିଲ୍ଲୀରେ ନିର୍ବାଚନ ରାଲିରେ କହିଥିଲେ, ଏବେ ଯେଉଁ ପରିସ୍ଥିତି ରହିଛି, ସେଥିରୁ ଜଣାପଡ଼ୁଛି ଯେ ଆଗାମୀ ୬ମାସ ମଧ୍ୟରେ ଯୁବପିଢ଼ି ମୋଦୀଙ୍କୁ ଠେଙ୍ଗାରେ ପିଟିବେ। ଏହାର ଜବାବରେ ମୋଦୀ କହିଥିଲେ, ମୁଁ ଜଣେ କଂଗ୍ରେସ ନେତାଙ୍କ ଭାଷଣ ଶୁଣିଲି ଯେ, ୬ ମାସରେ ଯୁବପିଢ଼ି ମୋଦୀଙ୍କୁ ଠେଙ୍ଗାରେ ପିଟିବେ। ତେଣୁ ଏଥିପାଇଁ ପ୍ରସ୍ତୁତ ରହିବାକୁ ମୋତେ କିଛି ସମୟ ଲାଗିବ। ମୁଁ ସ୍ଥିର କରିଛି ୬ ମାସ ଭିତରେ ପ୍ରତିଦିନ ସୂର୍ୟ୍ୟ ନମସ୍କାର ସଂଖ୍ୟା ବୃଦ୍ଧି କରିଦେବି। ୨୦ ବର୍ଷ ଧରି ଯେପରି ଖରାପ ଗାଳି ଶୁଣୁଛି, ମୁଁ ‘ଗାଳି ପ୍ରୁଫ’ କରିଦେଇଛି। ମୁଁ କୃତଜ୍ଞ ଯେ ମୋତେ ୬ ମାସ ସମୟ ଦିଆଯାଇଛି। ଏହି ସମୟରେ ରାହୁଲ କିଛି କହିବା ଲାଗି ନିଜ ଆସନରେ ଛିଡ଼ା ହେବାକୁ ଉଦ୍ୟମ କରୁଥିଲେ। ମାତ୍ର ସେତିକି ବେଳେ ମୋଦୀ ହସ୍ତକ୍ଷେପ କରି ତାଙ୍କୁ ବସିବା ଲାଗି କହିଥିଲେ। ମୋଦୀ କଟାକ୍ଷ କରି କହିଥିଲେ, ମୁଁ ୪୦ ମିନିଟ ହେଲା କହିଆସୁଛି, ମାତ୍ର ଲାଗୁଛି ଏବେ କରେଣ୍ଟ ଲାଗିଲା। ଏମିତି ଅନେକ ଟ୍ୟୁବ୍‌ଲାଇଟ୍‌ ଅଛନ୍ତି।