ଧାନ ମଣ୍ଡିରେ ଅବ୍ୟବସ୍ଥାକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ : ପ୍ରଶାସନର ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ ଜିଲ୍ଲା By Nitidin Last updated Feb 5, 2020 Share ମାଲକାନଗିିରି,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକର ଗୋବିନ୍ଦପାଲ୍ଲୀ ଆର.ଏମ.ସି ଫାଟକ ନିକଟସ୍ଥ ମୂଖ୍ୟ ରାସ୍ତାରେ ଶତାଧିକ ଚାଷୀ ଆଜି ଧାନ ମଣ୍ଡିରେ ଅବ୍ୟବସ୍ଥାକୁ ବିରୋଧ କରି ରାସ୍ତାରୋକ କରିଛନ୍ତି। ଖଇରପୁଟ ବ୍ଲକ ଅଧିନରେ ଥିବା ମଣ୍ଡିଗୁଡ଼ିକରେ ଧାନ ବସ୍ତା ମାସ ମାସ ଧରି ପଡ଼ି ରହିଥିଲେ ମଧ୍ୟ ଧାନ କ୍ରୟ କରାନଯିବା ଅତି ପରିତାପର ବିଷୟ। ଧାନ ବସ୍ତା ପଡ଼ି ରହିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନର ଦେଖା ମିଳୁନଥିବାରୁ ଚାଷୀମାନେ ଧାନ ବସ୍ତା ଜଗି ବସି ରହିବାକୁ ପଡ଼ୁଛି। ଅନଲାଇନରେ ଟୋକେନ ଆସିଥିଲେ ସୁଦ୍ଧା ଟୋକେନ ଉଭାନ ହୋଇଯାଉଛି। ଫଳରେ ଚାଷୀ ତାର ନିଜର ଉତ୍ପାଦିତ ଧାନ ବିକ୍ରି କରିପାରୁନାହିଁ। ଏଥିସଙ୍ଗେ ସଙ୍ଗେ ବହୁ ଦିନ ଧରି ମଣ୍ଡିରେ ବିକ୍ରି କରିଥିବା ଧାନର ପ୍ରାପ୍ୟ ମଧ୍ୟ ଚାଷୀମାନେ ପାଇନଥିବା ଅଭିଯୋଗ କରି ମଧ୍ୟାହ୍ନ ୧୨ଟାରେ ଏହି ରାସ୍ତାରୋକ କରିଥିଲେ। ଖଇରପୁଟ ବ୍ଲକ ସଭାପତି, ଗୌର ଚନ୍ଦ୍ର୍ର ସୁଗ୍ରୀଙ୍କ ନେତୃତ୍ୱରେ ଜିଲ୍ଲା ପରିଷଦ ସଦସ୍ୟ ବାଲରାଜ କୋପେ, ପୂର୍ବତନ ଖଇରପୁଟ ଉପାଧ୍ୟକ୍ଷ ପଦ୍ମନ ନାୟକ,ପୂର୍ବତନ ଗୋବିନ୍ଦପାଲ୍ଲୀ ସରପଂଚ ରବିରାମ କିଚପାଡ଼ିଆ, ଶ୍ରୀନିବାସ ମୁଦୁଲି, କୃଷ୍ଣ ଚନ୍ଦ୍ର ରଥ, ରାଜେନ୍ଦ୍ର ସୁଗ୍ରୀ, ଗୁପ୍ତେଶ୍ୱର ବ୍ରହ୍ମା , ଦୀନବନ୍ଧୁ ଗୌଡ଼, ମନୋଜ ମାଳିଙ୍କ ସମେତ ଶତାଧିକ ଚାଷୀ ଏହି ରାସ୍ତାରୋକ କରିଥିଲେ। ଫଳରେ ଜୟପୁର – ମାଲକାନଗିରି ମଧ୍ୟରେ ଶତାଧିକ ଯାନବାହନ ଅଟକି ରହିଥିଲା ଏଥିଯୋଗୁଁ ବହୁ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସଂଦ୍ଧ୍ୟା ୬ ଟା ବେଳେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ, ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ଗୋବିନ୍ଦପାଲ୍ଲୀ ଗସ୍ତ କରି ବିଶ୍ରାମ ଭବନଠାରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପରେ ଭାରପ୍ରାପ୍ତ ଜିଲ୍ଲାଯୋଗାଣ ଅଧିକାରୀ ମନୋଜ କୁମାର ପ୍ରଧାନ , ମାଥିଲି ବି.ଡି.ଓ ଆଶିଷ କୁମାର ଭୋଇ ଓ ଖଇରପୁଟ ଏମ.ଆଇ ପ୍ରଭାକର ଦୋରା ପହଂଚି ଆନ୍ଦୋନକାରୀଙ୍କ ସହ ଆଲୋଚନା କରି ଆଗାମୀ ୭ ଦିନ ମଧ୍ୟରେ ମଣ୍ଡିରେ ଥିବା ଧାନକୁ ଉଠାଯିବ ଓ ପୁଣି ତାଲିକା ପ୍ରସ୍ତୁତ କରି ଟୋକେନ ପାଇଁ ସରକାରଙ୍କୁ ପଠାଯିବ ବୋଲି ଲିଖିତ ପ୍ରତିଶ୍ରୃତି ଦେବା ସହ ଯେଉଁମାନେ ଟଙ୍କା ପାଇ ନାହାନ୍ତି, ସେମାନଙ୍କୁ ମଧ୍ୟ ଅର୍ଥ ପୈଠ କରାଯିବ ବୋଲି ଲିଖିତ ପ୍ରତିଶ୍ରୃତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। Share