ଲଣ୍ଡନ : ଦ୍ୱିତୀୟ ବିଶ୍ୱଯୁଦ୍ଧ ଅମଳର ଅଫୁଟା ବୋମା ଠାବ କରାଯିବା ଫଳରେ ଲଣ୍ଡନ ପୁଲିସ ଏକାଧିକ ରାସ୍ତାକୁ ଜନଶୂନ୍ୟ କରିଦେଇଛି। ସୋମବାର ଦିନ ପ୍ରାୟ ଗୋଟାଏ ୪୨ ମିନିଟରେ ହୋଟେଲ୍ ସୋହୋ ନିକଟସ୍ଥ ଡିନ୍ ଷ୍ଟ୍ରିଟ୍ରେ କିଛି ନିର୍ମାଣାଧୀନ ଶ୍ରମିକ ବୋମାଟିକୁ ଦେଖିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରିବା ସହ ହଜାର ହଜାର ଶ୍ରମିକଙ୍କୁ ଘରଦ୍ୱାର ଛାଡ଼ି ପଳାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ସୋହୋ ହୋଟେଲ କର୍ମଚାରୀଙ୍କୁ ମଧ୍ୟ ପଳାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଲଣ୍ଡନର ସୋହୋ ଅଞ୍ଚଳରେ ଏକାଧିକ ବାର୍, ରେଷ୍ଟୁରାଣ୍ଟ ଓ ବ୍ୟବସାୟ ପ୍ରତିଷ୍ଠାନ ଥିଲେ ମଧ୍ୟ ପୁଲିସ ନିର୍ଦ୍ଦେଶରେ ଦୁଇଘଣ୍ଟା ମଧ୍ୟରେ ସବୁ ଶୂନଶାନ ହୋଇଯାଇଥିଲା।
ପୁଲିସ ଅଫୁଟା ଡିଭାଇସ୍କୁ ଉଦ୍ଧାର କରି ସତର୍କତାର ସହ ଘଟଣାସ୍ଥଳରୁ ଚାଲି ଯାଇଥିଲା। ୨୦୧୫ରେ ପୂର୍ବ ଲଣ୍ଡନରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ୨୫୦ କିଲୋଗ୍ରାମ ଓଜନର ବୋମା ମିଳିଥିଲା। କୁହାଯାଉଛି, ଦ୍ୱିତୀୟ ବିଶ୍ୱଯୁଦ୍ଧ ଚାଲିଥିବା ବେଳେ ଜର୍ମାନ ବାୟୁସେନା ପକ୍ଷରୁ ଲଣ୍ଡନ ଉପରେ ପ୍ରାୟ ୧୨ ହଜାର ମେଟ୍ରିକ ଟନ୍ ବୋମା ପକାଇ ଦିଆଯିବା ଫଳରେ ପ୍ରାୟ ୩୦ ହଜାର ଲୋକ ପ୍ରାଣ ହରାଇଥିଲେ।